ନୂଆଦିଲ୍ଲୀ:ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସଂସଦରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ଦୁଃଖଦ ଓ ଚିନ୍ତାଜନକ ବ୍ୟକ୍ତ କରିବା ସହ ଏହା ପଛରେ କାହାର ସମ୍ପୃକ୍ତି ରହିଛି ତାହା ଜାଣିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ 370 ଧାରା ଉଚ୍ଛେଦ ଓ ରାମ ମନ୍ଦିର ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ମତବ୍ୟକ୍ତ କରିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ସାକ୍ଷାତକାର ସମୟରେ ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମତ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏନେଇ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଘଟଣାଟି ଦୁଃଖଦ ଅଟେ ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, "ଏହି ମାମଲାରେ ବାଦ ବିବାଦ କରିବାର କୌଣସି ଆବଶ୍ୟକତା ନାହିଁ । ଘଟଣା ପଛରେ କିଏ ରହିଛି ସେ ବିଷୟରେ ଜାଣିବାର ନିହାତି ଆବଶ୍ୟକ ରହିଛି । ଏଭଳି ଘଟଣା ଘଟାଇବା ପଛରେ ଅଭିଯୁକ୍ତମାନଙ୍କର ଉଦ୍ଦେଶ୍ୟ କଣ ଥିଲା ସେ ବିଷୟରେ ଜାଣିବାର ଆବଶ୍ୟକତା ରହିଛି ।"
ତେବେ ଡିସେମ୍ବର 13 ତାରିଖ ଦିନ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଯାଇଥିଲା । ସଂସଦ ମଧ୍ୟରେ 2 ଜଣ ବ୍ୟକ୍ତି ପ୍ରବେଶ କରିଥିଲେ । ଯାହାକୁ ନେଇ ଆତଙ୍କ ଖେଳି ଯାଇଥିଲା । ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା 6 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
ଏହାମଧ୍ୟ ପଢନ୍ତୁ..ସଂସଦ ସୁରକ୍ଷା ଭଙ୍ଗ ମାମଲା, ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ନୋଟିସ