ନୂଆଦିଲ୍ଲୀ:ଦେଶର 4 ଟି ରାଜ୍ୟ ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ (Assembly Elections)ରେ ଭାରତୀୟ ଜନତା ପାର୍ଟି ବିଜେପି ବମ୍ପର ବିଜୟ ପରେ ଆଜି ଠାରୁ ଆରମ୍ଭ ହୋଇଛି ସଂସଦ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆଜି ସଂସଦ ଆରମ୍ଭ ହେବା ମାତ୍ରେ, ନିର୍ଦ୍ଧାରିତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଲୋକସଭାକୁ ଆସିଥିଲେ ।
ପ୍ରଧାନମନ୍ତ୍ରୀ ଲୋକସଭାକୁ ପ୍ରବେଶ କରୁଥିବା ବେଳେ ପୁରା ଲୋକସଭା ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା । ସମସ୍ତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସାଂସଦ ମାନେ ଟେବୁଲ ବାଡେଇ, ଜୟ ଶ୍ରୀରାମ ନାରା ଦେଇ ମୋଦି ମୋଦି ନାରା ଦେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । 2 ମାସ ଧରି ହୋଇଥିବା ନିର୍ବାଚନରେ ଗତ ମାର୍ଚ୍ଚ 10 ରେ ଫଳାଫଳ ଆସିଛି । ଯେଉଁଥିରେ ବିଜେପି ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ବମ୍ପର ବିଜୟ ପାଇଥିବା ବେଳେ, ପଞ୍ଜାବରେ କ୍ଷମତା ଦଖଲ କରିଛି ଆମ ଆଦମୀ ପାର୍ଟି ।