ନୂଆଦିଲ୍ଲୀ:ଦେଶରେ ଖୋଲିଲା ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ(Digital Banking Units) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟର ଲୋକାର୍ପଣ କରିଛନ୍ତି(Prime Minister Narendra Modi dedicates 75 DBUs) । ଦିନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହାସହିତ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଦିଗରେ ଏହି ବ୍ୟାଙ୍କିଙ୍ଗ ୟୁନିଟ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO) ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଥିଲା, ୨୦୨୨-୨୩ କେନ୍ଦ୍ର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ । ଦେଶର କୋଣ ଅନୁକୋଣରେ DBUsର ସୁଫଳ ପ୍ରସାର କରିବା ପାଇଁ ଏହାକୁ ସ୍ଥାପନ କରାଯାଇଛି । ଏଥିରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ।