ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଘଟଣାର 4 ଦିନ ପରେ ପ୍ରତିକ୍ରିୟା ରଖିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ଅଧୀର ରଞ୍ଜନ । ବିରୋଧୀ ଦଳ ତଥା ଦେଶବାସୀଙ୍କ ଚାପ ଯୋଗୁଁ ମୋଦି ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ଉପସ୍ଥିତ ରହି ବିବୃତ୍ତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । 'ମୋଦି ହେ ତୋ ମୁମୁକିନ ହେ ନାରା'କୁ ମୋଦି ହେ ତୋ ମୁସକିଲ ହେ ନାରାରେ ପରିବର୍ତ୍ତନ କରାଯାଉ ବୋଲି କଟାକ୍ଷ କରିଛନ୍ତି ଅଧୀର ରଞ୍ଜନ ।
ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଅଧୀର ରଞ୍ଜନ କହିଛନ୍ତି, "ଯେତେବେଳେ ବିଶ୍ବର ଯେକୌଣସି ସ୍ଥାନରେ କିଛି ବଡ଼ ଘଟଣା ଘଟେ ସେତେବେଳେ ପ୍ରଧାନମନ୍ତ୍ରୀ ସଙ୍ଗେସଙ୍ଗେ ଟ୍ବିଟରରେ ତାହା ସେୟାର କରିଥାଆନ୍ତି । କିନ୍ତୁ ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିବାକୁ ସେ 4 ଦିନ ସମୟ ନେଲେ । ସେ ଘଟଣାର ପରଦିନ ଗୃହକୁ ଆସି ଲୋକଙ୍କୁ ଚିନ୍ତା ନକରିବା ପାଇଁ ଆଶ୍ବସନା ଦେବା ଆବଶ୍ୟକ ଥିଲା । ଯେଉଁ ବ୍ୟକ୍ତି ଦେଶକୁ ସୁରକ୍ଷା ଦେବା ପାଇଁ ଗ୍ୟାରେଣ୍ଟି ଦେଇଥାଏ, ସେ ଅସୁବିଧାର ଅନ୍ୟ ଏକ ନାମ ପାଲଟିଛି । ପୂର୍ବରୁ ମୋଦି ହେ ତୋ ମୁମୁକିନ ହେ କୁହାଯାଉଥିଲା । ବର୍ତ୍ତମାନ ମୋଦି ହେ ତୋ ମୁସକିଲ ହେ ବୋଲି ଏହାକୁ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।