ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ତିନି ବାହିନୀର ଅଗ୍ନିବୀରମାନଙ୍କର ପ୍ରଥମ ବ୍ୟାଚକୁ ସମ୍ବୋଧିତ କରିଛନ୍ତି । ଯେଉଁମାନେ ବର୍ତ୍ତମାନ ତାଲିମ ଆରମ୍ଭ କରିଛନ୍ତି ।
ନିଜ ସମ୍ବୋଧନରେ ଅଗ୍ରଣୀ ଅଗ୍ନିପଥ ଯୋଜନାର ପଥପ୍ରଦର୍ଶକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଅଗ୍ନିବୀରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୀତିଗତ ପରିବର୍ତ୍ତନ ଯୋଗୁଁ ଏହି ଯୋଜନା ଆମ ସଶସ୍ତ୍ର ସେନାକୁ ମଜବୁତ କରିବା ସହ ଭବିଷ୍ୟତ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯୁବ ଅଗ୍ନିବୀରମାନେ ସଶସ୍ତ୍ର ସେନାକୁ ଅଧିକ ଯୁବସୁଲଭ ଓ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ କରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅଗ୍ନିବୀରମାନଙ୍କ ସାମର୍ଥ୍ୟର ପ୍ରଶଂସା କରି ସେ କହିଥିଲେ ଯେ ‘‘ସେମାନଙ୍କ ଉତ୍ସାହ ସଶସ୍ତ୍ର ସେନାର ଶୌର୍ଯ୍ୟ ଉପରେ ପ୍ରତିଫଳିତ ଓ ସେମାନେ ସବୁବେଳେ ଜାତୀୟ ପତାକାକୁ ଊର୍ଦ୍ଧ୍ୱରେ ରଖିଛନ୍ତି। ଏହି ସୁଯୋଗ ଯୋଗୁଁ ସେମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିବେ ତାହା ସେମାନଙ୍କ ଜୀବନ ର ଗର୍ବ ହୋଇ ରହିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବ ଭାରତରେ ନବୀନ ଉତ୍ସାହ ରହିଛି ଓ ଏହା ଆମ ସଶସ୍ତ୍ର ସେନାକୁ ଆଧୁନିକ କରିବା ସହ ଆତ୍ମନିର୍ଭର ମଧ୍ୟ କରିବ । ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଯୁଦ୍ଧର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଘଟୁଛି । ସଂପର୍କ ବିହୀନ ଯୁଦ୍ଧ ଓ ସାଇବର ଯୁଦ୍ଧର ଆହ୍ୱାନ ଉପରେ ଆଲୋକପାତ କରି ଆମ ସଶସ୍ତ୍ର ସେନାରେ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗାମୀ ସୈନିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ । ବର୍ତ୍ତମାନ ଯୁବପିଢୀଙ୍କ ଏହି ସାମର୍ଥ୍ୟ ରହିଛି । ତେଣୁ ଭବିଷ୍ୟତରେ ଅଗ୍ନିବୀରମାନେ ସଶସ୍ତ୍ର ସେନାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ।’’