ନୂଆଦିଲ୍ଲୀ:ଆଜି ଦେଶ ପାଳୁଛି ୭୫ ତମ ସେନା ଦିବସ । ସୀମାରେ ମୁତୟନ ଥିବା ବୀର ଯବାନଙ୍କ ବୀରତ୍ବ, ପରାକ୍ରମ ଓ ବଳିଦାନକୁ ସମ୍ମାନ ଜଣାଇ ପ୍ରତି ବର୍ଷ ଆଜିର ଦିନରେ ଏହି ଦିବସକୁ ପାଳନ କରାଯାଏ । ଏହି ଅବସରରେ ଆଜି ଭାରତୀୟ ସେନାକୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟ୍ବିଟ କରି ଲେଖିଛନ୍ତି ଯେ, ''ସେନା ଦିବସରେ, ଆସନ୍ତୁ ଭାରତୀୟ ସୈନିକଙ୍କ ବଳିଦାନର କାହାଣୀକୁ ମନେ ପକାଇବା । ସେମାନେ ସର୍ବଦା ବିରତ୍ବ ଓ ସାହସିକତା ଦେଖାଇ ବିପଦ ସମୟରେ ରକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ଆଜି ସେନା ଦିବସ ଅବସରରେ ମୁଁ ଭାରତୀୟ ସେନାର ସମସ୍ତ ସାହସୀ ଯୋଦ୍ଧାଙ୍କୁ ଏବଂ ସେମାନଙ୍କ ପରିବାରଙ୍କୁ ସମ୍ମାନ ଜଣାଉଛି । ''
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଲେଖିଛନ୍ତି ଯେ, ''ଆର୍ମି ଦିବସରେ ମୁଁ ସମସ୍ତ ସେନା କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି । ଆଜିର ଦିନରେ ପ୍ରତ୍ୟେକ ଭାରତୀୟ ଆମର ସେନା ପାଇଁ ଗର୍ବିତ । ସେମାନେ ସର୍ବଦା ଆମ ଦେଶକୁ ସୁରକ୍ଷିତ ରଖିଛନ୍ତି ଏବଂ ଦେଶରେ ସଙ୍କଟ ସମୟରେ ସେମାନଙ୍କ ସେବା ପ୍ରଶଂସନିୟ । ''
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ବିଟ କରି କହିଛନ୍ତି ଯେ, ''ଭାରତୀୟ ସେନା ଦିବସ ଅବସରରେ ଆମ ସାହାସୀ ସୈନିକ, ଯେଉଁ ଯବାନ ମାନେ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ସହିଦ ହୋଇଛନ୍ତି ଓ ପୂର୍ବତନ ସୈନିକଙ୍କୁ ମୋର ସତସତ ପ୍ରଣାମ । ସେମାନଙ୍କ ପରିବାରକୁ ଆଜିର ଦିନରେ ମୁଁ କୃତଜ୍ଞତା ଜଣାଉଛି । ଯବାନଙ୍କ ସାହାସ, ନିଃସ୍ବାର୍ଥପର ସେବା ସବୁଦିନ ସ୍ମରଣୀୟ ହୋଇ ରହିବ । ''
ଚଳିତ ଥର ପ୍ରଥମ ଥର ପାଇଁ ଦିଲ୍ଲୀରେ ଥିବା ସେନା ମୁଖ୍ୟାଳୟ ବାହାରେ ବେଙ୍ଗାଲୁରୁରେ ୭୫ତମ ସେନା ଦିବସ ପାଳୁଛି ଭାରତୀୟ ସେନା । ସ୍ବାଧୀନ ଭାରତ ପରଠାରୁ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ କ୍ୟାଣ୍ଟନମେଣ୍ଟରେ ମୁଖ୍ୟ ପ୍ୟାରେଡ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । କିନ୍ତୁ ଚଳିତ ବର୍ଷ ଏହା ବେଙ୍ଗାଲୁରରେ ଆରମ୍ଭ ହୋଇଯାଇଛି । ଆର୍ମି ଡେ ଅବସରରେ ଦିଲ୍ଲୀ ସ୍ଥିତ ସେନା ମୁଖ୍ୟାଳୟ, ଜାତୀୟ ଯୁଦ୍ଧ ସ୍ମାରକୀ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସେନା କାର୍ଯ୍ୟାଳୟ, ଶହୀଦ ସ୍ମୃତିସ୍ଥଳରେ ପରେଡ, ଶ୍ରଦ୍ଧାଞ୍ଜଳି ସମେତ ଚିତାକର୍ଷକ ଷ୍ଟଣ୍ଟ ଓ ସେନାର ଶକ୍ତି ପ୍ରଦର୍ଶିତ ହେଉଛି । ଆଜିର ଦିନରେ ସେହି ବୀର ଯୋଦ୍ଧାଙ୍କୁ ଦେଶ ସ୍ମରଣ କରି ସେମାନଙ୍କର ବୀରତ୍ବକୁ ନେଇ ଗର୍ବ ଅନୁଭବ କରୁଛି ଭାରତ ।