ଅହମ୍ମଦାବାଦ : 19 ବର୍ଷ ପରେ ବହୁ ଚର୍ଚ୍ଚିତ ଗୋଧ୍ରା କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ । ଗୁଜୁରାଟ ଟ୍ରେନ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ରଫିକ ଭତୁକ ।
2002ରେ ଗୁଜୁରାଟ ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଷ୍ଟେସନରେ ଏକ ଟ୍ରେନକୁ ଜାଳି ଦିଆଯାଇଥିଲା । ଯେଉଁଥିରେ 59 କାରସେବଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଫିକକୁ ଗତକାଲି ଗିରଫ କରାଯାଇଥିବା ନେଇ ଜଣାପଡିଛି ।
ଟ୍ରେନରେ ପଥର ମାଡ କରି ନିଆଁ ଲଗାଯାଇଥିଲା ସେତେବେଳେ ରଫିକ ଏଥିରେ ସାମିଲ ରହିଥିଲା । ରଫିକ ନାଁରେ ହତ୍ୟା ଓ ଦଙ୍ଗା ସୃଷ୍ଟି କରିବାର ଧାରା ଲାଗିଛି । ରଫିକ ସେ ସମୟରେ ଷ୍ଟେସନରେ ଏକ ଶ୍ରମିକ ଭାବେ କାମ କରୁଥିଲା । ଏହା ପରେ ସେ ଗୁଜୁରାଟ ଛାଡି ଦିଲ୍ଲୀ ଚାଲି ଆସିଥିଲା । ଗୋଧ୍ରା କାଣ୍ଡ ପରେ ଗୁଜୁରାଟରେ ବ୍ୟାପକ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା ।
ପଞ୍ଚମହଲ ଜିଲ୍ଲା ପୋଲିସ ଅଧୀକ୍ଷକ ଲୀନା ପାଟିଲଙ୍କ ଅନୁସାରେ, ଯେଉଁମାନେ ଗୋଧ୍ରା ଟ୍ରେନ ପୋଡି ଘଟଣାର ଷଡଯନ୍ତ୍ର ରଚିଥିଲେ ସେହି ଗୋଷ୍ଠୀର ମୁଖ୍ୟ ଅଭିଯୁକ୍ତ ହେଉଛି 51 ବର୍ଷୀୟ ରଫିକ। ଯିଏ କି 19 ବର୍ଷ ଧରି ଫେରାର ରହିଥିଲା । ଗୁଇନ୍ଦା ରିପୋର୍ଟ ମିଳିବା ପରେ ଗୋଧ୍ରା ଷ୍ଟେସନ ନିକଟରେ ଥିବା ଏକ ଘର ଉପରେ ଚଢାଉ କରି ଗରିଫ କରିଛି ଗୁଜୁରାଟ ପୋଲିସ ।