ଜୟପୁର:ଆଧୁନିକ ସଭ୍ୟ ସମାଜରେ ଆଜି ବି କେତେକ ସ୍ଥାନରେ ବଞ୍ଚି ରହିଛି କୁତ୍ସିତ ମାନସିକତା । ଜାତି ବର୍ଣ୍ଣ ପ୍ରଭେଦ କରିବାକୁ ଆଜି ବି ପଛାଉ ନାହାନ୍ତି ଲୋକେ । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପାଖରେ ଅଛି ନୀଳକଣ୍ଠ ମନ୍ଦିର । ଏଠାରେ ଏକ ନବବିବାହିତ ଦଳିତ ଦମ୍ପତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେଲେନି ମନ୍ଦିର ପୂଜକ ।
ଏହି ଘଟଣା ପରେ ନବବିବାହିତ ଦମ୍ପତି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରିବା ପରେ ମନ୍ଦିର ପୂଜକଙ୍କୁ ଗିରଫ କରିଛି ପୋଲିସ । ମନ୍ଦିର ପୂଜକ ଦମ୍ପତିଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ଦେଇନଥିଲେ । ଏହାସହ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହି ସମସ୍ତ ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।