ପାଟନା :କରୋନା ସମୟରେ ବିହାର ସରକାରଙ୍କ ଦ୍ବାରା ନିଆଯାଇଥିବା ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସମ୍ମାନୀତ ହୋଇଛି ବିହାର । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାରକୁ ଡିଜିଟାଲ ଇଣ୍ଡିଆ ଆଓ୍ବାର୍ଡ 2020ରେ ସମ୍ମାନିତ କରିଛନ୍ତି। କରୋନା ମହାମାରୀ ସମୟରେ ବିହାରର ଲୋକଙ୍କୁ ଠିକ୍ ସମୟରେ ବିଭିନ୍ନ ଜରୁରୀ ସେବା ଯୋଗାଇବା ପାଇଁ ବିହାର ସରକାରଙ୍କ ପ୍ରଚେଷ୍ଟାକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି ।
କୋଭିଡ-19 ଲକଡାଉନ ସମୟରେ ବିହାରବାସୀଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇବା ପାଇଁ ବିହାର ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବହୁ ପଦକ୍ଷେପକୁ ଭାରତ ସରକାର ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ସଚିବାଳୟ, ବିପର୍ଯ୍ୟୟ ପରିଚାଳନା ବିଭାଗର ସହଭାଗିତାରେ ଏହି ସବୁ କାର୍ଯ୍ୟକ୍ରମ ସଫଳ ହୋଇପାରିଥିବାରୁ ବିହାର ସରକାରଙ୍କୁ ପ୍ରଶଂସା କରାଯାଇଛି ।
ଲକଡାଉନ ସମୟରେ ବିହାରରେ 21 ଲକ୍ଷରୁ ଅଧିକ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବିହାର ବାହାରେ ଫସି ରହିଥିବା ଶ୍ରମିକମାନଙ୍କୁ ବିହାର କରୋନା ଆସିଷ୍ଟାଣ୍ଟ ମୋବାଇଲ୍ ଆପ୍ ମାଧ୍ୟମରେ 21 ଲକ୍ଷରୁ ଅଧିକ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ 1.64 କୋଟି ରାସନ କାର୍ଡ ଥିବା ପରିବାରକୁ 3 ମାସ ଅଗ୍ରୀମ ରାସନ ମଧ୍ୟ ଦିଆଯାଇଥିଲା | ଏଥିସହ ପ୍ରତିପରିବାରକୁ 1000 ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲା ବିହାର ସରକାର । ରାଜ୍ୟ ବାହାରୁ ବିଭିନ୍ନ ଉପାୟରେ ରାଜ୍ୟକୁ ଫେରୁଥିବା 15 ଲକ୍ଷରୁ ଅଧିକ ଶ୍ରମିକଙ୍କୁ 10 ହଜାରରୁ ଅଧିକ କେନ୍ଦ୍ରରେ ସଂଗରୋଧରେ ରଖିବା ପାଇଁ ଦେୟ ମୁକ୍ତ ବ୍ୟବସ୍ଥା କରିଥିଲେ ବିହାର ସରକାର ।