ହାଇଦ୍ରାବାଦ: ରାଜସ୍ଥାନରେ ଗତ 4 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ସୁରକ୍ଷାରେ ତ୍ରୁଟି ମାମଲାରେ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ ସମୟରେ ଏହି ତ୍ରୁଟି ସାମ୍ନାକୁ ଆସିଥିଲା । ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତିଙ୍କ ପାଦ ସ୍ପର୍ଶ କରି ପ୍ରଣାମ ଉଦ୍ୟମ କରିଥିବା ଯଣେ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଯନ୍ତ୍ରୀଜଣଙ୍କ ରାଜସ୍ଥାନ ସରକାରରେ ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟ(PHED)ରେ କାର୍ଯ୍ୟରତ ଅଛନ୍ତି ।
ଜାନୁଆରୀ 4ତାରିଖରେ ରାଜସ୍ଥାନର ରୋହେତରେ ସ୍କାଉଟ ଗାଇଡ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେଲିକପ୍ଟରରୁ ଅବତରଣ କରିବା ପରେ ହେଲିପ୍ୟାଡରେ ମସସ୍ତ ପ୍ରୋଟୋକଲ ଭାଙ୍ଗି ଏହି ଯନ୍ତ୍ରୀଜଣଙ୍କ ରାଷ୍ଟ୍ରପତିଙ୍କ ନିକଟତର ହେବା ସହ ତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଯବାନମାନେ ବାଧା ଦେଇଥିଲେ । ତେବେ ଏହି ଯନ୍ତ୍ରୀଙ୍କ ନାମ ଆମ୍ବା ସେଉଲ (Amba Seoul) ଓ ସେ ପବ୍ଲିକ ହେଲ୍ଥ ଡିପାର୍ଟମେଣ୍ଟରେ (PHED) ଜଣେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ ଭାଙ୍ଗିବା ଅଭିଯୋଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ନିର୍ଦ୍ଦେଶ ମିଳିଥିଲା ।