ନୂଆଦିଲ୍ଲୀ: ଆଜି ପବିତ୍ର ମହାବିଷୁବ ସଂକାନ୍ତି ଏବଂ ଓଡିଆ ନବବର୍ଷ । ପ୍ରତିଟି ଓଡିଆଙ୍କ ପାଇଁ ଆଜିର ଦିନଟି ଗୁରୁତ୍ବପୂର୍ଣ୍ଣ । ପବିତ୍ର ମହାବିଷୁବ ସଂକାନ୍ତି ଓ ଓଡିଆ ନବବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡିଆ ନବବର୍ଷ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,''ପବିତ୍ର ପଣା ସଂକ୍ରାନ୍ତି ଓଡିଶାର ପୁରପଲ୍ଲୀରେ ହସ ଉଲ୍ଲାସରେ ପାଳିତ ହେଉଛି । ଏ ଅବସରରେ ପଣାପଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ବତ ସଭାସମିତି ମଧ୍ୟ ଆୟୋଜିତ ହୋଇଛି । ଏହି ଓଡିଆ ନବବର୍ଷ ଉପଲକ୍ଷେ ଓଡିଶାର ପ୍ରିୟ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ସମସ୍ତଙ୍କ ସୁଖସମୃଦ୍ଧି କାମନା କରୁଛି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡିଆ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି କହଛନ୍ତି, ''ମହାବିଷୁବ ସଂକ୍ରାନ୍ତି ଏବଂ ଓଡିଆ ନବବର୍ଷର ଶୁଭେଚ୍ଛା । ନୂଆବର୍ଷ ଅପାର ଖୁସି ଏବଂ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ । ଆସନ୍ତା ବର୍ଷ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେଉ ।''
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ମହାବିଷୁବ ସଂକାନ୍ତି ଏବଂ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ ।