ନୂଆଦିଲ୍ଲୀ:ଦୀର୍ଷ 17 ଦିନର ଅପରେସନ ଆଜି ସଫଳ ହୋଇଛି । ସବୁ କଳ୍ପନା ଜଳ୍ପନା ଓ ଆଶଙ୍କାର ପରିସମାପ୍ତି ଘଟିଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲକ୍ୟାରାରେ ନିର୍ମାଣାଧୀନ ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ସାରା ଦେଶ ଆଜି ଆନନ୍ଦିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ଖୁସିବ୍ୟକ୍ତ କରିବା ସହ ଉଦ୍ଧାର ଅପରେସନରେ ସାମିଲ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ 17 ଦିନ ଧରି ଟନେଲ ମଧ୍ୟରେ ଅପୂର୍ବ ଧୈର୍ଯ୍ୟର ଉଦାହରଣ ଦେଖାଇଥିବା ସମସ୍ତ ଶ୍ରମିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସମସ୍ତେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍ କରି ଖୁସିବ୍ୟକ୍ତ କରିବା ସହ ଉଦ୍ଧାର ଅପରେସନରେ ସାମିଲ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି,"ମୁଁ ଉତ୍ତରାଖଣ୍ଡର ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜାଣି ମୁଁ ଆଶ୍ବସ୍ତ ଓ ଆନନ୍ଦ ଅନୁଭବ କରୁଛି । 17 ଦିନ ଧରି ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି । ଏହା ମାନବ ସହନଶୀଳତାର ପ୍ରମାଣ ଦେଇଛି । ମୁଁ ଉଦ୍ଧାରକାରୀ ଦଳ ତଥା ସମସ୍ତ ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଇତିହାସର ସବୁଠାରୁ କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇଛନ୍ତି ।’’
ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି । ଟ୍ବିଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,‘‘ଉତ୍ତରାଖଣ୍ଡ ଟନେଲ ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଟନେଲରେ ଫସିଥିବା ବନ୍ଧୁମାନଙ୍କୁ କହିବାକୁ ଚାହେଁ, ଯେ ଆପଣଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛି । ମୁଁ ଆପଣଙ୍କ ମଙ୍ଗଳ ଏବଂ ସୁସ୍ୱାସ୍ଥ୍ୟ କାମନା କରୁଛି । ଏହା ଏକ ସନ୍ତୋଷର ବିଷୟ ଯେ, ସେମାନେ ଏକ ଦୀର୍ଘ ପ୍ରତୀକ୍ଷା ପରେ ସେମାନଙ୍କ ପରିଜନଙ୍କ ସହ ସାକ୍ଷାତ କରିପାରିବେ ।’’