ନୂଆଦିଲ୍ଲୀ: ''ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ'' ସଂସଦ ଭବନ ସେଣ୍ଟ୍ରାଲ ହଲରେ ଗୁଞ୍ଜରିତ ହୋଇ ଉଠିଥଲା ସନ୍ଥ କବି ଭୀମଭୋଇଙ୍କ ଏହି ପକ୍ତିଂ । ତାଳିରେ ଦେଶର ପଞ୍ଚଦଶ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା । ଉପରୋକ୍ତ କବିତା ଆବୃତ୍ତି କରି ଦେଶର ପ୍ରଥମ ନାଗରିକ ହେବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ଦ୍ରୌପଦୀ ମୁର୍ମୁ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ବାନ ଦେବା ସହ ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ଅଭିଭାଷଣରେ କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ଦ୍ରୌପଦୀଙ୍କ ଅଭିଭାଷଣ ଜୁହାରରୁ ଆରମ୍ଭ କଲେ ଅଭିଭାଷଣ...
ଜୁହାର କହି ପ୍ରିୟ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତ ସର୍ବୋଚ୍ଚ ସମ୍ବିଧାନିକ ପଦରେ ନିର୍ବାଚିତ ହୋଇଥିବାରୁ ସମସ୍ତ ସାଂସଦ ଓ ସମସ୍ତ ବିଧାନସଭା ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ । ଦେଶର କୋଟି କୋଟି ନାଗରିକଙ୍କ ବିଶ୍ବାସ ଅଭିବ୍ୟକ୍ତି ବୋଲି କହିଥିଲେ ରାଷ୍ଟ୍ରପତି । ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ଓ ଅଧିକାର ପ୍ରତି ପୂରଣ କରିବେ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ‘ଦେଶବାସୀଙ୍କ ବିଶ୍ବାସ, ଆତ୍ମୀୟତା ଓ ସହଯୋଗ ଏ ନୂଆ ଦାୟିତ୍ବ ତୁଲାଇବାରେ ବଡ ଶକ୍ତି ବୋଲି କହିଛନ୍ତି । ମୋତେ ଏ ଯାଏ ଗଣତନ୍ତ୍ରର ଶକ୍ତି ଆଣିଛି । ମୋତେ ରାଷ୍ଟ୍ରପତି ଭାବରେ ବାଛି ଦେଶ ଏପରି ମହର୍ତ୍ତ୍ବପୂର୍ଣ୍ଣ ସମୟ ଆଣିଛି ଯେବେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳୁଛି । ଆଜାଦୀ କା 50 ବର୍ଷ ପୂରଣ ସମୟରେ ମୋ ରାଜନୀତି ଜୀବନ ଆରମ୍ଭ ହୋଇଥିଲା । ଆଉ ବର୍ତ୍ତମାନ ଆଜାଦୀ କା 75 ବର୍ଷ ପାଳନ ସମୟରେ ମୋତେ ଏହି ନୂଆ ଦାୟିତ୍ବ ମିଳିଛି ଏହା ମୋ ପାଇଁ ବହୁତ ବଡ ସୌଭାଗ୍ୟ’ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଗରିବ ସ୍ବପ୍ନ ଦେଖିପାରେ ସାକାର ବି କରିପାରେ:
ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ କରିଥିଲି । ମୁଁ ଯେଉଁଠାରୁ ଆସିଛି ସେଠାରେ ପ୍ରାଥମିକ ଶିକ୍ଷା ହାସଲ କରିବା ମଧ୍ୟ ସ୍ବପ୍ନ ଥିଲା । ଅନେକ ବାଧା ପରେ ବି କଲେଜ ଯାଇଥିବା ପ୍ରଥମ ଝିଅ ଥିବା କହିଛନ୍ତି ଦ୍ରୌପଦୀ ମୁର୍ମୁ । ଓ୍ୱାର୍ଡ କାଉନସିଲରରୁ ଆସି ମୁଁ ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସି ପାରିଛି । ଏହି ଅବସର ମୋତେ ମିଳିଛି । ଏହା ଲୋକତନ୍ତ୍ରର ଶକ୍ତି ଯେ ଏକ ଗରିବ ଘରେ ଜନ୍ମ ହୋଇଥିବା ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚିଛି । ରାଷ୍ଟ୍ରପତି ହେବା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ଏହା ପ୍ରତିଟି ଗରିବଙ୍କ ଉପଲବ୍ଧି । ଆମ ନିର୍ବାଚନ ଏହି କଥାର ପ୍ରମାଣ ଦେଇଛି ଯେ ଗରିବ ସ୍ବପ୍ନ ଦେଖିପାରେ ଓ ସାକାର ବି କରିପାରେ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ ।
ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ରାଷ୍ଟ୍ରପତି:
ସେ ଆହୁରି କହିଛନ୍ତି ମୁଁ ଦେଶର ଏପରି ଜଣେ ରାଷ୍ଟ୍ରପତି ଯାହାଙ୍କ ଜନ୍ମ ସ୍ବାଧୀନ ଭାରତରେ ହୋଇଛି । ଆମ ସ୍ବାଧୀନତା ସେନାମାନେ ସ୍ବାଧୀନ ଭାରତରୁ ଆମ ନାଗରିକଙ୍କ ଠାରୁ ଯେଉଁ ଆଶା କରିଥିଲେ ତାହାର ପୂରଣ ପାଇଁ ଏହି ଅମୃତ କାଳରେ ଆମକୁ ଦ୍ରୁତ ଗତିରେ କାମ କରିବାକୁ ହେବ । ସବକା ପ୍ରୟାସ ଓ ସବକା ଦାୟିତ୍ବକୁ ନେଇ କାମ କରିବାକୁ ହେବ । ଭାରତର ଉଜ୍ବଳ ଭବିଷ୍ୟତ ବିକାଶ ଯାତ୍ରା ସମସ୍ତଙ୍କ ପ୍ରୟାସରେ କରିବାକୁ ହେବ । କର୍ତ୍ତବ୍ୟପଥରେ ଚାଲି ଏହାକୁ ସାକାର କରିବାକୁ ହେବ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ ।
ମହିଳା ସଶକ୍ତିକରଣକୁ ଗୁରୁତ୍ୱ:
ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବା ନେଇ କହିଥିଲେ ରାଷ୍ଟ୍ରପତି । ଭୋକାଲ୍ ଫର୍ ଲୋକାଲ୍ ହେବାକୁ ଜନସାଧାରଣଙ୍କୁ ଆହ୍ବାନ ଦେବା ସହ ରେକର୍ଡ ସଂଖ୍ୟକ ଷ୍ଟାର୍ଟ ଅପ୍ ସୃଷ୍ଟି କରିବାରେ ଯୁବକଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ ରାଷ୍ଟ୍ରପତି । ଆସନ୍ତାକାଲି କାର୍ଗିଲ ବିଜୟ ଦିବସ । ଏ ନେଇ ଦେଶର ସେନା ଓ ନାଗରିକଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ସଂସଦର ସେଣ୍ଟ୍ରାଲ ହଲରେ ଉପସ୍ଥିତ ଥିବା ବହୁ ମାନ୍ୟଗଣ୍ୟ ଅତିଥି ।