ନୂଆଦିଲ୍ଲୀ:ଆସନ୍ତାକାଲି (ସୋମବାର) ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତି ୧୧ ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ । ସୋମବାର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହସିକତା ଭଳି ୬ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।
ପ୍ରଧାନମନ୍ତ୍ରୀ ବାଲ ପୁରସ୍କାର ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ଜଣ ପୁଅ ରହିଥିବା ବେଳେ ୫ଜଣ ଝିଅ ରହିଛନ୍ତି । ମେଡାଲ ଦିଆଯିବା ସହ ସେମାନଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ । ଏହି ସମସ୍ତ ଛାତ୍ରଛାତ୍ରୀ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତେବେ କେଉଁ ମାନେ ପୁରସ୍କାର ପାଇବେ ସେମାନଙ୍କ ନାମ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇନାହିଁ ।
କଳା ଏବଂ ସଂସ୍କୃତି ବର୍ଗରେ ୪ଜଣ, ସାହାସିକତା ପାଇଁ ଜଣେ, ଇନୋଭେସନ ପାଇଁ ଜଣେ, ସାମାଜିକ ସେବା ପାଇଁ ଜଣେ ଏବଂ କ୍ରୀଡା ପାଇଁ ୩ ଜଣଙ୍କୁ ସମ୍ମାନିତ କରାଯିବ । ଏନେଇ ମହିଳା ଓ ଶିଶୁ ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତ୍ତିରେ ସୂଚନା ପ୍ରଦାନ କରାଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ବାଲ ପୁରସ୍କୃତ ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରି ୨୪ ତାରିଖରେ କଥା ହେବେ ।
ଗତ ୨୦୨୨ରେ ଦେଶର ବଭିନ୍ନ ପ୍ରାନ୍ତରୁ ବିଭିନ୍ନ କ୍ଷେତ୍ର ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୯ ଜଣ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ବିଜେତା ୫ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ରହିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥା ହେବା ସହ ଇ-ପ୍ରମାଣପତ୍ର ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଥିଲେ ।
ସେହିପରି ୨୦୨୧ରେ ୩୨ ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ନବୋନ୍ମେଷ, ଶୈକ୍ଷଣିକ, ଖେଳ, ସାଂସ୍କୃତିକ, ସାମାଜିକ ସେବା ଓ ସାହସିକତା କ୍ଷେତ୍ରରେ ଅସାଧାରଣ କ୍ଷମତା ଓ ଉତ୍କୃଷ୍ଠ ଉପଲବ୍ଧି ପାଇଁ ଏହି ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା । ୨୧ ରାଜ୍ୟ ଓକେନ୍ଦ୍ର ଶାସିତ ଅଞ୍ଚଳର ୩୨ ଜିଲ୍ଲାରୁ ଏହି ଶିଶୁମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ପୁରସ୍କୃତ କରିଥିଲେ ।