ନୂଆଦିଲ୍ଲୀ: ଘୋଷଣା ହେଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2024 । ଚଳିତ ଥର 19 ଜଣ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ବାଲ ପୁରସ୍କାର ପ୍ରଦାନ କରିବେ । ଆସନ୍ତା ସୋମବାର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିବର୍ଷ ଦେଶର କିଛି ବଛା ବଛା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଆସନ୍ତା ମଙ୍ଗଳବାର ପ୍ରଧାନମନ୍ତ୍ରୀ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । କଳା, ସଂସ୍କୃତି, ସେବା, କ୍ରୀଡା ଏବଂ ସାହସିକତା ଭଳି 6ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।
19 ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର: ଉଲ୍ଲେଖନୀୟ ସଫଳତା ପାଇଁ ଚଳିତ ବର୍ଷ 19 ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ 10 ଜଣ ଛାତ୍ରୀ ଓ 9 ଜଣ ଛାତ୍ର ରହିଛନ୍ତି । କିନ୍ତୁ ସେମାନଙ୍କ ନାମ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇନାହିଁ । 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବାଲ ପୁରସ୍କାର ପ୍ରଦାନ କରାଯିବ । ମେଡାଲ ସହ ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ଓ ସାର୍ଟିଫିକେଟ ପ୍ରଦାନ କରାଯିବ ।