ନୂଆଦିଲ୍ଲୀ:ଆଜି ଦେଶର ପ୍ରଧାନ ସେବକ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ମନ୍ତ୍ରୀମାନେ ତାଙ୍କୁ ଜନ୍ମଦିନର ବଧେଇ ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ପୋଷ୍ଟ କରିଛନ୍ତି, ''ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆପଣଙ୍କ ଦୂରଦର୍ଶିତା ତଥା ସୁଦୃଢ ନେତୃତ୍ବରେ ଅମୃତ କାଳରେ ଭାରତର ସାମଗ୍ରିକ ବିକାଶର ମାର୍ଗ ପ୍ରଶସ୍ତ ହେଉ । ଆପଣ ସବୁବେଳେ ସୁସ୍ଥ ଓ ଆନନ୍ଦରେ ରହୁନ୍ତୁ ଏବଂ ନିଜର ଅପ୍ରତିମ ନେତୃତ୍ବ ବଳରେ ଦେଶବାସୀଙ୍କୁ ଲାଭାନ୍ବିତ କରୁଥାନ୍ତୁ ।''
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ୍ସରେ କହିଛନ୍ତି ଯେ, ନିଜର ଦୂରଦର୍ଶିତା, ପରିଶ୍ରମ ଓ ନିସ୍ବାର୍ଥ ସେବାଭାବ ଜରିଆରେ କୋଟି କୋଟି ଲୋକଙ୍କ ଜୀବନରେ ସମୃଦ୍ଧି ଓ ବିଶ୍ବାସ ଆଣିଥିବା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା । ଇଶ୍ବରଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ଆପଣଙ୍କ ସେବା ଓ ସମର୍ପଣ ଯୋଗୁଁ ଗତ ୯ ବର୍ଷ ଭିତରେ ଦେଶବାସୀଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାହା ସମଗ୍ର ବିଶ୍ବ ଅନୁଭବ କରିଛି । ଭାରତ ମାଆର ବୈଭବକୁ ଆପଣ ଆହୁରି ଶିଖରରେ ପହଞ୍ଚାନ୍ତୁ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ରହିଥାଉ ।