ନୂଆଦିଲ୍ଲୀ:ସବୁ ଦିନ ପାଇଁ ନୀରବି ଯାଇଛନ୍ତି ୟୁପିର ନେତାଜୀ । ୟୁପି ରାଜନୀତିକୁ 3 ଦଶନ୍ଧି ଧରି ପ୍ରଭାବିତ କରିଥିବା ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ପରଲୋକ ହୋଇଛି । ମୁଲାୟମଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ମୁଲାୟମ ସିଂହଙ୍କ ଦେହାନ୍ତ ଦେଶ ପାଇଁ ଓ ଭାରତୀୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଟ୍ବିଟ କରି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି,''ଦେଶ ପାଇଁ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ଅପୂରଣୀୟ କ୍ଷତି । ସାଧାରଣ ପରିବାରରୁ ଆସିଥିବା ମୁଲାୟମ ସିଂହ ଯାଦବଙ୍କ ଉପଲବ୍ଧି ଆସାଧାରଣ ଥିଲା । ଧରିତ୍ରୀ ପୁତ୍ର ମୁଲାୟମ ଜୀ ମାଟି ସହ ଜଡିତ ନେତା ଥିଲେ । ସବୁ ଦଳ ତାଙ୍କ ସମ୍ମାନ କରେ । ତାଙ୍କ ପରିବାର, ସମର୍ଥକଙ୍କ ପ୍ରତି ମୋର ସମବେଦନା ଜଣାଉଛି ।''
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''ମୁଲାୟମ ସିଂହ ଯାଦବ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ । ନମ୍ର ନେତା ଭାବରେ ସେ ଲୋକମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଥିଲେ । ସାରା ଜୀବନ ଲୋକଙ୍କ ସେବା କରିଥିଲେ । ଜରୁରୀକାଳୀନ ପରିସ୍ଥିତିରେ ମୁଲାୟମ ଜଣେ ଆଗଧାଡ଼ିର ସିପାହୀ ଥିଲେ । ପ୍ରତିରକ୍ଷାମନ୍ତ୍ରୀ ଥିବା ବେଳେ ମୁଲାୟମ ଦେଶକୁ ସଶକ୍ତ କରିବାରେ ଗୁରୁ ଦାୟିତ୍ବ ତୁଲାଇଥିଲେ ।'' ଜଣେ ସଂସଦୀୟ ନେତା ଭାବେ ତାଙ୍କର ଭାଗୀଦାରି ବେଶ ବଳିଷ୍ଠ ଓ ସବୁବେଳେ ରାଷ୍ଟ୍ରର ହିତରେ ଥିଲା ।''
ଏହା ବି ପଢନ୍ତୁ...ଚାଲିଗଲେ ନେତାଜୀ, 3 ଦିନିଆ ରାଷ୍ଟ୍ରୀୟ ଶୋକ ପାଳିବ ୟୁପି
ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଲାୟମ ସିଂହ ଯାଦବଙ୍କ ପରଲୋକରେ ଶୋକ ପ୍ରକାଶ କରିିବା ସହ ହରିୟାଣାର ମେଦାନ୍ତା ଡାକ୍ତରଖାନା ଗସ୍ତ କରି ମୁଲାୟମଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଟ୍ବିଟ କରି ଗୃହମନ୍ତ୍ରୀ ଲେଖିଛନ୍ତି, ମୁଲାୟମ ସିଂହ ଯାଦବ ତାଙ୍କର ଅନନ୍ୟ ରାଜନୈତିକ ଦକ୍ଷତା ସହିତ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଥିଲେ । ଜରୁରୀକାଳୀନ ସମୟରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କୁ ସର୍ବଦା ତୃଣମୂଳ ସ୍ତରର ନେତା ଭାବରେ ସ୍ମରଣ କରାଯିବ । ତାଙ୍କ ବିୟୋଗ ଭାରତୀୟ ରାଜନୀତିରେ ଏକ ଯୁଗର ସମାପ୍ତ ହୋଇଛି ।''