ଲକ୍ଷ୍ନୌ: ଏକ ସ୍ବତନ୍ତ୍ର ଟ୍ରେନରେ ନିଜ ଗାଁ ଗସ୍ତରେ ଯାଇଛନ୍ତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ ପତ୍ନୀ ସବିତା ଦେବୀ କୋବିନ୍ଦଙ୍କ ସହ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟ୍ରେନରେ ଉତ୍ତରପ୍ରଦେଶର କାନପୁର ଅଭିମୁଖେ ଯାତ୍ରା କରିଥିଲେ। ପ୍ରାୟ 15 ବର୍ଷର ବ୍ୟବଧାନରେ ଜଣେ ପଦଧାରୀ ରାଷ୍ଟ୍ରପତି ଟ୍ରେନରେ ଯାତ୍ରା କରିଥିଲେ। ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ପାଇଁ ତିନି ଦିନିଆ ଗସ୍ତରେ ତାଙ୍କ ଜନ୍ମସ୍ଥାନ କାନପୁର ଆସିଛନ୍ତି।
ରାଷ୍ଟ୍ରପତି, ତାଙ୍କ ଜନ୍ମସ୍ଥାନ ପରୋଙ୍ଖ ଗାଁ ନିକଟରେ ଥିବା କାନପୁରର ଝିଞ୍ଝକ ସହରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କୋବିନ୍ଦ କହିଛନ୍ତି ଯେ, ‘ସେ ଦେଶର ସର୍ବାଧିକ ଦରମା ପ୍ରାପ୍ତ କର୍ମଚାରୀ ହୋଇଥିବାରୁ ସେ ପ୍ରତି ମାସରେ 2.75 ଲକ୍ଷ ଟଙ୍କା ଟ୍ୟାକ୍ସ ମଧ୍ୟ ଦେଉଛନ୍ତି । ଯାହା ଦେଶର ଉନ୍ନତିକରଣରେ ବ୍ୟବହାର କରାଯାଏ । ସମସ୍ତେ କେବଳ କୁହନ୍ତି ଯେ ମୁଁ ମାସକୁ 5 ଲକ୍ଷ ଟଙ୍କା ପାଏ । କିନ୍ତୁ ମୋର ବେତନର ଏକ ପ୍ରମୁଖ ଅଂଶ ଟ୍ୟାକ୍ସକୁ ଯାଏ, ସେ ବିଷୟରେ କେହି କୁହନ୍ତି ନାହିଁ। ଅଧିକାରୀ ଏବଂ ଶିକ୍ଷକମାନେ ଟ୍ୟାକ୍ସ ଦେବା ପରେ ମୋ ଠାରୁ ଅଧିକ ଦରମା ପାଇଥାନ୍ତି। ମୁଁ କହିବାର କାରଣ ହେଉଛି ଯେ, ଆମ ଦେଶର ବିକାଶ ଆମେ ଦେଉଥିବା ଟିକସ ଅର୍ଥରୁ ହିଁ ହୋଇଥାଏ । ତେଣୁ ଆମକୁ ଆମ ଦେଶର ସମ୍ବଳର ଯତ୍ନ ନେବା ଆବଶ୍ୟକ ଏବଂ ଏହାକୁ ନଷ୍ଟ ନକରିବା ଉଚିତ ବୋଲି ସେ କହିଛନ୍ତି ।