ନୂଆଦିଲ୍ଲୀ: ଆଜି ଜାତୀୟ ସମ୍ବିଧାନ ଦିବସ (National Constitution Day) । ୧୯୪୯ ଆଜିର ଦିନରେ ସମ୍ବିଧାନ ସଭା ଦ୍ବାରା ଭାରତର ସମ୍ବିଧାନକୁ ସ୍ବୀକୃତି ଦିଆଯାଇଥିଲା ଯାହା ୧୯୫୦ ଜାନୁଆରୀରେ ପ୍ରଭାବକୁ ଆସିଲା । ଏହି ଅବସରରେ ସେଣ୍ଟ୍ରାଲ ହଲରେ ଆୟୋଜିତ ହେବାକୁ ଥିବା ବୈଠକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Kovind) ଅଧକ୍ଷତା କରିବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( PM Modi) ସଂସଦ ଗୃହରେ ସମ୍ବୋଧନ କରିବେ ।
ବିଜ୍ଞାନ ଭବନରେ ସମ୍ବିଧାନ ଦିବସ ପାଳନ ହେବ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଉପସ୍ଥିତ ରହିବେ । ଉପରାଷ୍ଟ୍ରପତି ଭେଙ୍କେୟା ନାଉଡୁ ଲୋକସଭା ବାଚସ୍ପତି ଓମ ବିର୍ଲା ଉପସ୍ଥିତ ରହିବେ । ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ବିତର୍କର ଏକ ଡିଜିଟାଲ୍ ସଂସ୍କରଣ ପ୍ରକାଶ କରିବା ନେଇ ସୂଚନା ମିଳିଛି । ଏହା ବ୍ୟତୀତ ସମ୍ବିଧାନର ଏକ ନକଲ ଅନଲାଇନ୍ ସଂସ୍କରଣରେ ମଧ୍ୟ ପ୍ରକାଶ ପାଇବ । ଏହା ସହିତ ଗଣତାନ୍ତ୍ରିକ ସମ୍ବିଧାନ ଉପରେ ଏକ ଅନଲାଇନ ପ୍ରଶ୍ନୋଉତ୍ତର ଶୁଭାରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।