ନୂଆଦିଲ୍ଲୀ:ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ (State Funeral of Queen Elizabeth II) ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ 17 ରୁ 19 ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଲଣ୍ଡନ ଗସ୍ତ କରିବେ । 19 ରେ ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାର ରାଜଧାନୀ ଲଣ୍ଡନରେ ସମ୍ପୂର୍ଣ୍ଣ ବ୍ରିଟିଶ ରାଜକୀୟ ପରମ୍ପର ଅନୁସାରେ ଶେଷ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି । ଭାରତ ପକ୍ଷରୁ ରାଷ୍ଟ୍ରପତି ମୁର୍ମୁ ନିଜେ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।
ବ୍ରିଟେନ ମହାରାଣୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ,ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିଲେ । ଭାରତ ମଧ୍ୟ ଏକଦିବସୀୟ ଶୋକ ପାଳିଥିଲା । ତେବେ ଏବେ ରାଣୀଙ୍କର ମରଶରୀରକୁ ଦେଶବ୍ୟାପୀ ପରିକ୍ରମା କରାଯାଉଛି । ସମଗ୍ର ବ୍ରିଟେନବାସୀ ରାଣୀଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ସ୍କଟଲ୍ୟାଣ୍ଡରୁ ବାହାରିଥିବା ପାର୍ଥୀବ ଶରୀର ବ୍ରିଟେନ ପରିକ୍ରମା ସାରି ଲଣ୍ଡନରେ ପହଞ୍ଚିବା ପରେ ସେଠାରେ ବ୍ରିଟିଶ ପରମ୍ପରା ଅନୁସାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ (State Funeral of Queen Elizabeth II) । ଏଥିରେ ସମଗ୍ର ବିଶ୍ବରୁ ବହୁ ରାଷ୍ଟ୍ରମୁଖ୍ୟ, ତଥା ପ୍ରତିନିଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବାର ସୂଚନା ରହିଛି । ରାଷ୍ଟ୍ରପତି ମୁର୍ମୁ ମଧ୍ୟ ଲଣ୍ଡନରେ ପହଞ୍ଚି ଭାରତର ପ୍ରତିନିଧିତ୍ବ କରିବେ ।
ଏହା ମଧ୍ୟ ପଢନ୍ତୁ :- ସ୍ବତନ୍ତ୍ର ବିଧିରେ କରାଯିବ ମହାରାଣୀଙ୍କ ଅନ୍ତିମ ସଂସ୍କାର