ନୂଆଦିଲ୍ଲୀ: ‘‘ତୁ କାହାଁକି ମାଟି ସେ ଆତା ହେ, କାହିଁକି ମାଟି ପାତା ହେ... ମେରେ ଦେଶ କି ବୀର ସିପାହୀ ନାମ ଅମର କର ଯାତା ହେ...’’କାର୍ଗିଲ ଯୁଦ୍ଧ ଯେଉଁ ଭଳି ପରିସ୍ଥିତିରେ ହୋଇଥିଲା ତାହାକୁ ଭାରତ କେବେ ଭୁଲିବ ନାହିଁ । ଉଚ୍ଚ ପାହାଡରେ ବସିଥିବା ଶତ୍ରୁ ସହ ଆମ ବୀର ଯବାନ ଲଢେଇ କରିଥିଲେ । ବିଜୟ ପାହାଡ ଉଚ୍ଚତାର ନୁହେଁ ଆମ ବୀର ଯବାନଙ୍କ ଉଚ୍ଚ ସାହାସ ଓ ବୀରତାର ହୋଇଥିଲା । 1999 ମସିହା ଜୁଲାଇ 26 ତାରିଖରେ ପାକିସ୍ତାନକୁ ମାତ ଦେଇ କାର୍ଗିଲ ସୁଉଚ୍ଚ ପାହାଡରେ ତ୍ରିରଙ୍ଗା ଉଡାଇଥିଲା ଭାରତ । ଏହି ଐତିହାସିକ ବିଜୟ ଦିନର ଶୁଭେଚ୍ଛା ଜଣାଇବା ସହ ବୀର ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଐତିହାସିକ କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ରପତି ବୀର ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି । ସେ କହିଛନ୍ତି, '' ଏହି ଗୌରବଶୀଳ ଅବସରରେ ସମସ୍ତ ଦେଶବାସୀ ଆମ ସଶସ୍ତ୍ର ବଳଙ୍କ ଆସାଧାରଣ ପରାକ୍ରମ ବଳରେ ଏହି ବିଜୟ ହାସଲ ହୋଇଥିଲା । ଦେଶର ରକ୍ଷା ପାଇଁ ଜୀବନକୁ ବଳିଦାନ କରି ବିଜୟ ମାର୍ଗ ଦେଖାଇଥିବା ସେନା ଦେଶ ପକ୍ଷରୁ ଶ୍ରଦ୍ଧାଞ୍ଜଳି । ତୁମ ସମସ୍ତଙ୍କ ସ୍ମୃତିକୁ ପ୍ରଣାମ । ତୁମ ସାହାସ ଆଗାମୀ ପିଢିକୁ ସର୍ବଦା ପ୍ରେରଣା ଦେବ ।''
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି,''କାର୍ଗିଲ ବିଜୟ ଦିବସ ଭାରତର ସେହି ଅଦ୍ଭୂତ ପରାକ୍ରମ ଏବଂ ବିଜୟଗାଥାକୁ ସଲାମ ଯାହା ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣା ହୋଇ ରହିବ । ଏହି ସ୍ବତନ୍ତ୍ର ଦିନରେ ସମସ୍ତ ବୀରପୁତ୍ରଙ୍କୁ ପ୍ରଣାମ । ଜୟ ହିନ୍ଦ ।''