ନୂଆଦିଲ୍ଲୀ:ଆଜି ଓଡିଶାର ଗଣ ତଥା କୃଷିଭିତ୍ତିକ ପର୍ବ ରଜ । ଏନେଇ ସବୁଠି ଉତ୍ସବ ଆନନ୍ଦ ଓ ଉଲ୍ଲାସ । ପହିଲି ରଜରେ ପୁଲକିତ ହୋଇଛି ଧରା । ପିଠା ମଠାରେ ମହକୁଛି ଗାଁ । ସଜବାଜ ହୋଇ ପିଠା ଖାଇ ଦୋଳି ଖେଳି ରଜ ପର୍ବ ପାଳିଛନ୍ତି ଓଡିଶାବାସୀ । ଏହି ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଟ୍ବିଟ କରି ରାଷ୍ଟ୍ରପତି ଲେଖିଛନ୍ତି, ''କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡିଶାର ପୁରପଲ୍ଲୀରେ ତିନିଦିନ ବ୍ୟାପୀ ରଜ ପର୍ବ ପାଳିତ ହେଉଛି । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତ୍ତର ସ୍ବାସ୍ଥ୍ୟ କାମନା କରୁଛି ।''
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜ ଶୁଭେଚ୍ଛା ଜଣାଇ ଟ୍ବିଟ କରି କହିଛନ୍ତି, ''ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ । ବସୁଧା ପ୍ରକୃତି ଓ ନାରୀମାନଙ୍କୁ ସମ୍ମାନ ଜଣାଇବାରେ ଏହା ଆମର ଅନନ୍ୟ ପରମ୍ପରା । ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି ।''
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଣ ପର୍ବ ରଜର ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି କହିଛନ୍ତି, ''ଓଡିଶାର ଅନନ୍ୟ ସାଂସ୍କୃତିକ ରଜ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା । ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରୁଛି ।''