ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ (President Droupadi Murmu ) ନାଗରିକ ସମ୍ବର୍ଦ୍ଧନା । ରାଜ୍ୟ ସରକାରଙ୍କ ସମେତ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ରାଜଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଜୟ ଜଗନ୍ନାଥରୁ ସମ୍ବୋଧିନ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ‘‘ଭାରତର ମାଟି ଖାଣ୍ଟି ସୁନା । ଭାରତର ପବନ ପ୍ରାଣ ସ୍ପନ୍ଦନ । ଭାରତର ଜଳ ଜୀବନ । ଭାରତର ଶିଳା ଶାଳଗ୍ରାମ । ଭାରତର ପ୍ରତି ବୃକ୍ଷ କଳ୍ପବଟ । ରାଷ୍ଟ୍ରପତି ହେବା ପରେ ନିଜ ମାତୃଭୂମିକୁ ମୋର ଏହା ପ୍ରଥମ ଗସ୍ତ । ଆଜି ମୁଁ ପୁରୀ ଯାଇ ବିଶ୍ବ ବ୍ରହ୍ମାଣ୍ଡଙ୍କୁ ଦର୍ଶନ କରିବା ସହ ବିଶ୍ବବାସୀଙ୍କ ପାଇଁ ପ୍ରାର୍ଥନା କରିଛି । ଦେଶର ଉନ୍ନତି ମଙ୍ଗଳ ସହ ଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ ଦାରୁବ୍ରହ୍ମଙ୍କୁ ଗୁହାରୀ କରିଛି । ମୋର ବିଶ୍ବାସ ମହାପ୍ରଭୁ ମୋର ଗୁହାରୀ ଶୁଣିବେ ।’’ ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଥିଲେ ପୁରୀରେ ଏକ ଏଏସଆଇ ସର୍କଲ କାର୍ଯ୍ୟାଳୟ ପାଇଁ ମୁଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅନୁରୋଧ କରିଥିଲି । ସଂସ୍କୃତି ମନ୍ତ୍ରୀ ଏହା ଅନୁମୋଦନ କରିବା ସହ ସ୍ଥାପନ କରିଥିବାରୁ ମୁଁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ।
ଏହାବି ପଢନ୍ତୁ- ମହାମହିମଙ୍କ ନିଆରା ଜଗା ଦର୍ଶନ: କାରକେଡ୍ ଓହ୍ଲାଇ ବଡ଼ଦାଣ୍ଡରେ ଚାଲିଲେ, ହାତଟେକି ନିଜକୁ ସମର୍ପିଲେ
ଓଡିଶାର ବରପୂତ୍ରଙ୍କ ସ୍ମୃତି ଚାରଣ କରି କହିଥିଲେ, ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ଭିନ୍ନତା ରହିଛି । ନିଜ ଅଞ୍ଚଳର ଦିଗ ଦିଗନ୍ତ୍ରର ସୌନ୍ଦର୍ଯ୍ୟ ନିଆରା । ଓଡିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଭାରତ ବର୍ଷର ଭୂଗୋଳ ଓ ଇତିହାସରେ ଓଡିଶା ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଚିଲିକା ପରି ହ୍ରଦ, ଶିମିଳିପାଳ ପରି ଜୈବ ବିବିଧତା ଓ ଭିତରକନିକା ପରି ଜାତୀୟ ଉଦ୍ୟାନ ଆମ ପାଖରେ ରହିଛି । ଓଡିଶାର ଗୌରବମୟ ଇତିହାସ ସଂସ୍କୃତି ଭାରତକୁ ମହାନ କରିଛି । ଓଡିଶା ମାଟିରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଛନ୍ତି । ଏହି ମାଟି ମହାନ । ମୁଁ ଦେଶର ବିଭିନ୍ନ ପ୍ରଦେଶ ଗସ୍ତ କରିଛି । ସବୁ ପ୍ରଦେଶରୁ ପାଇଥିବା ସ୍ନେହ ସମ୍ମାନ ଶ୍ରଦ୍ଧା ମତେ ଅଭିଭୂତ କରିଛି ।
ସେହିପରି ରାଷ୍ଚ୍ରପତି କହିଥିଲେ ଭାରତ ବର୍ଷର ନୌବାଣିଜ୍ୟରେ ଓଡିଶାର ଦାନ ଅପୂରଣୀୟ । ଓଡିଶା ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ଇତିହାସକାର କୁହନ୍ତି ୧୮୧୭ ମସିହାରେ ପ୍ରଥମ ବ୍ରିଟିଶ ବିରୋଧି ଆନ୍ଦୋଳନ ଓଡିଶାରୁ ଆରମ୍ଭ ହୋଇଥିଲା । ଭାରତର ସଂଗ୍ରାମୀ ଇତିହାସରେ ଓଡିଶାର ଅବଦାନ ବନ୍ଦନୀୟ । ରମାଦେବୀ , ଶାରଳାଦେବୀ, ମାଳତୀ ଦେବୀଙ୍କ ଭଳି ନାରୀ ନେତ୍ରୀ ଓଡିଶାରେ ଜନ୍ମ ହୋଇଥିଲେ । ଓଡିଶାରେ ଲବଣ ସତ୍ୟାଗ୍ରହ, ଭାରତଛାଡ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ଭଦ୍ରକର ଇରମରେ ଦ୍ୱିତୀୟ ଜାଲିୱାନାବାଗ ହତ୍ୟା କାଣ୍ଡ ଘଟିଥିଲା । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡିଶାର ଅବଦାନ ସର୍ବାଗ୍ରେ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ ।