ଓଡିଶା

odisha

ETV Bharat / bharat

ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ରାଷ୍ଟ୍ରପତି , ଭବ୍ୟ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ଝାଡ଼ଖଣ୍ଡର ରଜ୍ୟପାଳ ରହିଆସିଥିବା ଦ୍ରୌପଦୀଙ୍କୁ ପାଖରେ ପାଇ ଭାବ ବିହ୍ବଳ ହୋଇପଡିଛନ୍ତି ରାଜ୍ୟବାସୀ । ଅଧିକ ପଢନ୍ତୁ

By

Published : May 24, 2023, 5:37 PM IST

President on Jharkhand visit
ରାଷ୍ଟ୍ରପତିଙ୍କ ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତ

ରାଞ୍ଚି: ତିନି ଦିନିଆ ଝାଡ଼ଖଣ୍ଡ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଦେଓଘର ଓ ପରେ ରାଞ୍ଚିରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିମାନବନ୍ଦରରେ ପହଞ୍ଚି ମହାମହିମ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କ କାରକେଡ୍ ବିମାନବନ୍ଦରରୁ ବାହାରି ବିର୍ଷା ଛକଠାରେ ପହଞ୍ଚି ଥିଲା । ସେଠାରେ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମେତ ଝାଡ଼ଖଣ୍ଡ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଗୁରୁ ଦାୟିତ୍ବ ତୁଲାଇ ଆସିଛନ୍ତି । ତେବେ ଦୀର୍ଘ ଦିନ ପରେ ନିଜ ପୂର୍ବତନ ରାଜ୍ୟପାଳଙ୍କୁ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ରୂପେ ପାଖରେ ପାଇ ବେଶ ଖୁସି ଅନୁଭବ କରିଛନ୍ତି ଝାଡ଼ଖଣ୍ଡବାସୀ । ତେବେ ସ୍ବଭାବରେ ଖୁବ ନମ୍ର ଓ ସରଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସେମାନଙ୍କ ଅଭିବାଦନ ଗ୍ରହଣ କରିଛନ୍ତି । ବାବା ବୈଦନାଥଙ୍କ ଦରବାରରେ ପହଞ୍ଚିବା ପରେ ଦେଶର ସମସ୍ତ ନାଗରିକଙ୍କ ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ।

ଏହାପରେ ଆଲବର୍ଟ ଏକ୍କା ଛକରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ୍ । ସେଠାରେ ଶହୀଦ ଆଲବର୍ଟ ଏକ୍କାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ଅପରପକ୍ଷେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭବନରେ ପହଞ୍ଚି ବିଶ୍ରାମ ନେବା ପରେ ସନ୍ଧ୍ୟାରେ ଧୁର୍ବା ସ୍ଥିତ ନୂତନ ହାଇକୋର୍ଟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଝାଡ଼ଖଣ୍ଡରେ ରହିବାର କାର୍ଯ୍ୟକ୍ରମ ଥିବାରୁ ସମଗ୍ର ଅଞ୍ଚଳକୁ ହାଇଆଲର୍ଟ କରାଯାଇଛି ।

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ୍ଣ ରୂପେ ଶାକାହାରୀ ହୋଇଥିବାରୁ ତାଙ୍କ ପାଇଁ ସ୍ବତନ୍ତ୍ର ଭୋଜନ ପ୍ରସ୍ତୁତ କରାଯାଇଛି । ଝାଡ଼ଖଣ୍ଡର ଜିଲ୍ଲାପାଳ ଥିବା ସମୟରେ ସେ ସେଠାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ତେଣୁ ଦ୍ରୌପଦୀଙ୍କ ପ୍ରତି ଝାଡ଼ଖଣ୍ଡବାସୀଙ୍କ ମନରେ ଖୁବ୍ ସ୍ନେହ ଓ ଆଦର ରହିଛି ।

ଝାଡ଼ଖଣ୍ଡରେ ଜୈବିକ ଉପାୟରେ ଚାଷ ପଦ୍ଧତିର ପ୍ରସାର କ୍ଷେତ୍ରରେ ତତ୍କାଳିନ ରାଜ୍ୟପାଳ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବିଶେଷ ଅବଦାନ ରହିଛି । ଏହାବ୍ୟତୀତ, ରାଜ୍ୟପାଳ ଥିବା ସମୟରେ ସେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ରାଜଭବନରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକ ବିଶାଳ ଚରଖା ସ୍ଥାପନ କରିଥିଲେ । ଏହାସହ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ପୁନେରୁ ଟି-୫୫ ଆଣି ରାଜଭବନରେ ସ୍ଥାପନ କରିଥିଲେ । ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ଏହି ଟ୍ୟାଙ୍କର ବ୍ୟବହାର କରାଯାଇଥିଲା । ତେବେ ରାଜ୍ୟ ପାଇଁ ଏଭଳି ଅନେକ ଉନ୍ନୟନ କାର୍ଯ୍ୟ କରିଥିବା ପୂର୍ବତନ ରାଜ୍ୟପାଳଙ୍କୁ ପାଖରେ ପାଇ ଗୌରବାନ୍ବିତ ମନେ କରିଥିବା କହିଛନ୍ତି ଝାଡ଼ଖଣ୍ଡବାସୀ ।

ABOUT THE AUTHOR

...view details