ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି (CJI) ଭାବେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି (President Appoints Justice DY Chandrachud)। ନଭେମ୍ବର ୯ରେ ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବା ସହ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଳିତଙ୍କ ଠାରୁ ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡ ଏହି ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଅନୁସାରେ, ଅକ୍ଟୋବର 11 ତାରିଖରେ ବିଦାୟୀ ପ୍ରଧାନ ବିଚାରପତି (CJI) ଜଷ୍ଟିସ ୟୁ.ୟୁ ଲଲିତ ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଥିଲେ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ 2024 ମସିହା ନଭେମ୍ବର 10 ତାରିଖ ଯାଏ ରହିବ । ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଜଷ୍ଟିସ ଚନ୍ଦ୍ରଚୂଡ ନ୍ୟାୟିକ ବ୍ୟବସ୍ଥାର ସର୍ବୋଚ୍ଚ ପଦବୀରେ ରହିବେ । ପୂର୍ବରୁ 1978 ରୁ 1985 ପର୍ଯ୍ୟନ୍ତ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ୟୁ.ଭି ଚନ୍ଦ୍ରଚୂଡ ମଧ୍ୟ ଦେଶର ୧୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ ।