ଚଣ୍ଡିଗଡ:ଘରର ଛାତ ଭୁଶୁଡି ପଡିବା କାରଣରୁ ଗୋଟିଏ ପରିବାର ତିନିଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ତାଙ୍କ ସ୍ବାମୀ ଓ ତାଙ୍କର 4 ବର୍ଷର ଶିଶୁପୁତ୍ର ରହିଛନ୍ତି । ସେହିପରି ପଡୋଶୀ ଘରର 15 ବର୍ଷୀୟ ନାବାଳିକା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଞ୍ଜାବର ଫରଦିଦକୋଟ ଜିଲ୍ଲାର କୋଟାକପୁରା ଏରିଆରେ ଏହି ଅଘଟଣ ଘଟିଛି । ପରିବାର ଏହି ସମସ୍ତ ମୃତକ ଶୋଇଥିବା ସମୟରେ ଆଜି ସକାଳେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା କାରଣରୁ ଏହି ଛାତ ଭୁଶୁଡିଥିବା ପ୍ରାଥମିକ ଭାବେ କୁହାଯାଇଛି ।
ମୃତକ ହେଉଛନ୍ତି ସ୍ଥାନୀୟ 39 ବର୍ଷୀୟ ଗୁରୁପ୍ରୀତ ସିଂ, ତାଙ୍କ ଗର୍ଭବତୀ ପତ୍ନୀ କରମଜିତ କୌର ଓ ସେମାନଙ୍କର 4 ବର୍ଷୀୟ ଶିଶୁପୁତ୍ର ଗାଭି । ଏମାନେ ସମସ୍ତେ ଗୋଟିଏ କୋଠରୀରେ ଶୋଇଥିଲେ । ସାଙ୍ଗରେ ପଡୋଶୀ ଘରର ଜଣେ ନାବାଳିକା ଇନ୍ଦରଜିତ କୌର ମଧ୍ୟ ଥିଲେ । ଏହି ସମୟରେ ହଠାତ ଛାତ ଭୁଶୁଡି ପଡିଥିଲା । ସମସ୍ତେ କଂକ୍ରିଟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଚିତ୍କାର ଶୁଣି ପଡୋଶୀମାନେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ହେଲେ 3 ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା ।