ଓଡିଶା

odisha

By ETV Bharat Odisha Team

Published : Aug 25, 2023, 9:44 PM IST

ETV Bharat / bharat

Pragyan Rover Update: ୮ମିଟର ଚାଲିଲା ପ୍ରଜ୍ଞାନ, ଖୋଜୁଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

ବିକ୍ରମ ଲ୍ୟାଣ୍ଡରଠାରୁ ସଫଳ ଭାବେ ପୃଥକ ହେବା ପରେ ୨ ଦିନର ୮ମିଟର ଚାଲିଲା ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ବୁଲି ବୁଲି ସଂଗ୍ରହ କରୁଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ।

Pragyan Rover Update
Pragyan Rover Update

ବେଙ୍ଗାଲୁରୁ: ବିକ୍ରମ ଲ୍ୟାଣ୍ଡରଠାରୁ ଅବତରଣର ୬ ଘଣ୍ଟା ପରେ ପୃଥକ ହୋଇ ଚନ୍ଦ୍ରପୃଷ୍ଠରେ ବୁଲୁଛି ରୋଭର ପ୍ରଜ୍ଞାନ । ଗତ ୨୩ ତାରିଖରେ ବିକ୍ରମଠୁ ଅଲଗା ହେବା ପରେ ପ୍ରଜ୍ଞାନ ଆଜି ଯାଏଁ ୮ ମିଟର ରାସ୍ତା ଅତିକ୍ରମ କରିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ରୋଭର ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡୁଥିବା ବେଳେ ଚନ୍ଦ୍ରର ଦକ୍ଷିଣ ମେରୁରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।

ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରୁଥିବା ନେଇ ଇସ୍ରୋକୁ ସଙ୍କେତ ମିଳିଛି । ଏଯାବତ ରୋଭର ଚନ୍ଦ୍ରପୃଷ୍ଠରେ ପ୍ରାୟ ୮ ମିଟର ଯାତ୍ରା କରିଛି । ରୋଭରର ପ୍ଲେଲୋଡ LIBS ଓ APXS ଅନ୍‌ ହୋଇଛି । ପ୍ରପଲସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଓ ରୋଭରର ସମସ୍ତ ପ୍ଲେଲୋଡ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି ।" ତେବେ APXS ବା ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟ୍ରୋମିଟର ଚନ୍ଦ୍ରପୃଷ୍ଠରେ ଥିବା ବିଭିନ୍ନ ରାସାୟନିକ ପଦାର୍ଥର ତଥ୍ୟ ସଂଗ୍ରହ କରୁଛି ।

ଏହା ବି ପଢନ୍ତୁ- Chandrayaan-3 landing: ଲ୍ୟାଣ୍ଡରରୁ ବାହାରିଲା ରୋଭର ‘ପ୍ରଜ୍ଞାନ’

ସେପଟେ LIBS ବା ଲେଜର ଇଣ୍ଡ୍ୟୁସଡ୍‌ ବ୍ରେକଡାଇନ ସ୍ପେକ୍ଟ୍ରୋସ୍କୋପ ଚନ୍ଦ୍ରପୃଷ୍ଠରେ ଥିବା ମୌଳିକ ପଦାର୍ଥ ଯେପରିକି ମ୍ୟାଗ୍ନେସିୟିମ, ଆଲୁମିନିୟମ, କ୍ୟାଲସିୟମ, ସିଲିକନ, ପୋଟାସିୟମ, ଆଇରନ, ଟାଇଟାନିୟମକୁ ଚିହ୍ନଟ କରିଛି । ଚନ୍ଦ୍ରପୃଷ୍ଠର ଲ୍ୟାଣ୍ଡିଂ ସାଇଟରେ ଥିବା ମୃତ୍ତିକା ଓ ପଥର ମଧ୍ୟରୁ ଏହି ମୌଳିକ ପଦାର୍ଥକୁ ଚିହ୍ନଟ କରିଛି LIBS । ସେପଟେ ଇସ୍ରୋ ପକ୍ଷରୁ ଗୁରୁବାର ଦିଆଯାଇଥିବା ସୂଚନା ଅନୁସାରେ ପ୍ରଜ୍ଞାନରେ ସଂଯୁକ୍ତ ହୋଇଥିବା ILSA, RAMBHA, ChaSTE ମଧ୍ୟ ଆକ୍ଟିଭ ହୋଇଛି । ILSA ଚନ୍ଦ୍ରପୃଷ୍ଠରେ ସେସିମିକ ଆକ୍ଟିଭିଟିର ତଥ୍ୟ ସଂଗ୍ରହ କରୁଛି । ସେପଟେ RAMBHA ଚନ୍ଦ୍ରର ପ୍ଲାଜମା ଏନଭାରମେଣ୍ଟ (ପୃଥିବୀର ଆୟୋନୋସ୍ଫିୟର ପରି)ର ମଧ୍ୟ ତଥ୍ୟ ସଂଗ୍ରହ କରୁଛି ।

ଏହା ବି ପଢନ୍ତୁ- Chandrayaan 3 Lunar mission: ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ, ଚନ୍ଦ୍ରପୃଷ୍ଠରେ କରୁଛି ବିଚରଣ

ସେହିପରି ChaSTE ଚନ୍ଦ୍ରପୃଷ୍ଠରେ ଥିବା ଥର୍ମାଲ ପ୍ରପଟିଜ ବା ତାପଜ ଗୁଣକୁ ମାପ କରୁଛି । ତେବେ ସୂଚନା ଥାଉ କି ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ରାଷ୍ଟ୍ର ଭାବେ ଭାରତର ୩ୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିଥିଲା । ଅବତରଣର ୬ ଘଣ୍ଟା ପରେ ବିକ୍ରମ ଲ୍ୟାଣ୍ଡରଠାରୁ ପୃଥକ ହୋଇଥିଲା ରୋଭର ପ୍ରଜ୍ଞାନ । ଏହାପରେ ବିକ୍ରମ ଲ୍ୟାଣ୍ଡର ମଧ୍ୟରୁ ବାହାରି ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରିଥିଲା । ଏହାର ଭିଡିଓ ମଧ୍ୟ ଇସ୍ରୋ ପକ୍ଷରୁ ଜାରି ହୋଇଛି ।

ABOUT THE AUTHOR

...view details