ଓଡିଶା

odisha

ETV Bharat / bharat

ଉପଯୁକ୍ତ କାର୍ଯ୍ୟ ଓ ସାମାଜିକ ସୁରକ୍ଷା ସହ ଦାରିଦ୍ର୍ୟ ନିବାରଣ

ଏବେ ବି ବିଶ୍ବରେ 7ଶହ ନିୟୁତ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ । ଭାରତରେ ହ୍ରାସ ପାଉଛି ଦାରିଦ୍ର୍ୟ । ଉପଯୁକ୍ତ କାର୍ଯ୍ୟ ଓ ସାମାଜିକ ସୁରକ୍ଷା ସହ ଦାରିଦ୍ର୍ୟ ନିବାରଣକୁ ଗୁରୁତ୍ବ । ଅଧିକ ପଢନ୍ତୁ

ଉପଯୁକ୍ତ କାର୍ଯ୍ୟ ଓ ସାମାଜିକ ସୁରକ୍ଷା ସହ ଦାରିଦ୍ର୍ୟ ନିବାରଣ
ଉପଯୁକ୍ତ କାର୍ଯ୍ୟ ଓ ସାମାଜିକ ସୁରକ୍ଷା ସହ ଦାରିଦ୍ର୍ୟ ନିବାରଣ

By ETV Bharat Odisha Team

Published : Oct 26, 2023, 7:27 AM IST

ହାଇଦ୍ରାବାଦ:ଚଳିତ ବର୍ଷ ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସର ଥିମ ହେଉଛି ‘‘ଉପଯୁକ୍ତ କାର୍ଯ୍ୟ ଓ ସାମାଜିକ ସୁରକ୍ଷା: ସମସ୍ତଙ୍କ ପାଇଁ ସମ୍ମାନକୁ ଅଭ୍ୟାସରେ ପରିଣତ କରିବା ।’’ ବିଶ୍ବର ଅନେକ ଦେଶରେ ଦାରିଦ୍ର୍ୟ ଏବେ ବି ଗମ୍ଭୀର ସ୍ଥତିରେ ରହିଛି । ସେପ୍ଟେମ୍ବର 2023ରେ ବିଶ୍ବବ୍ୟାଙ୍କ ସମସ୍ତ ଦେଶ ପାଇଁ ସର୍ବଶେଷ ଦାରିଦ୍ର୍ୟ ଆକଳନ ପ୍ରକାଶ କରିଛି । ଏହି ଆକଳନ ଅନୁଯାୟୀ, ଏବେ ବିଶ୍ବର ପ୍ରାୟ 700 ନିୟୁତ ଲୋକ ଦୈନିକ 2.15 ଡଲାରରୁ କମ ଆୟ କରୁଥିବା ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ସେହିପରି 1,865 ନିୟୁତ ଲୋକ ଦୈନିକ 3.65 ଡଲାର ଆୟ ଦାରିଦ୍ର ସୀମାରେଖା ତଳେ ତଳେ ବାସ କରନ୍ତି । ବିଶ୍ବର ପ୍ରାୟ 44% ଓ 38% ଗରିବ ଯଥାକ୍ରମେ ଦକ୍ଷିଣ-ଏସିଆ ଓ ସାହାରା-ଆଫ୍ରିକାରେ ବାସ କରନ୍ତି । ୟୁକ୍ରେନ-ରୁଷ ଓ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟ ଦାରିଦ୍ରତା ବଢାଇବାରେ ଏକ ପ୍ରମୁଖ କାରଣ ହୋଇଥାଇ ପାରେ ବୋଲି ଆକଳନ କରାଯାଉଛି ।

ପୁରୁଷ ଓ ମହିଳାଙ୍କ ପାଇଁ ଉପଯୁକ୍ତ କାର୍ଯ୍ୟ ପ୍ରଦାନ କରିବା ହେଉଛି ଚଳିତ ବର୍ଷର ଏହି ପ୍ରସଙ୍ଗର ଅନୁଚିନ୍ତା ବା ଥିମ । ଅନ୍ୟ ଏକ ଘଟଣା ହେଉଛି, ନିକଟରେ ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର-2023 ଆମେରିକାର ଅର୍ଥନୀତିଜ୍ଞ ତଥା ହାବାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର କ୍ଲାଉଡିଆ ଗୋଲ୍ଡିନ (Claudia Goldin) ଙ୍କୁ ପ୍ରଦାନ କରାଯାଇଛି । ଗୋଲ୍ଡିନ୍ ଅଭିଲେଖାଗାରୁ ପ୍ରାୟ 200 ବର୍ଷର ପୁରୁଣା ତଥ୍ୟ ସଂଗ୍ରହ କରି ବିଶ୍ଳେଷଣ କରିଥିଲେ । ରୋଜଗାର ଓ ନିଯୁକ୍ତି ହାରରେ ଲିଙ୍ଗଗତ ବ୍ୟବଧାନ କିପରି ଓ କାହିଁକି ପରିବର୍ତ୍ତନ ହେବାରେ ଲାଗିଛି, ତାହା ତାଙ୍କ ଅନୁଧ୍ୟାନର ପ୍ରମୁଖ ବିଷୟବସ୍ତୁ ଥିଲା । ଅନ୍ୟ ଦୁଇ ଅର୍ଥନୀତିଜ୍ଞ ଡୁଫ୍ଲୋ (2019) ଓ ଅଲିଭର ଓଷ୍ଟ୍ରମ୍ (2009)ଙ୍କ ପରେ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାରେ ଏହି ଆମେରିକୀୟ ଅର୍ଥଶାସ୍ତ୍ରୀ କ୍ଲାଉଡିଆ ଗୋଲ୍ଡିନ ହେଉଛନ୍ତି ତୃତୀୟ ମହିଳା । କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ହାରରେ ଉନ୍ନତି ଓ ଦାରିଦ୍ର୍ୟ ହ୍ରାସ ପାଇଁ ତାଙ୍କର ଏହି ଅନୁଧ୍ୟାନ ବେଶ ଉପଯୋଗୀ ମଧ୍ୟ ।

ଯଦି ଭାରତର ଦାରିଦ୍ର୍ୟତା ସମ୍ପର୍କରେ ଆଲୋଚନା କରାଯାଏ, ତେବେ ନିକଟରେ ନୀତି ଆୟୋଗ 2023 ମସିହା ପାଇଁ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (National Multi-dimensional poverty Index) ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଶୈଳୀ ପରି 12ଟି ସୂଚକକୁ ନେଇ ଗଠିତ ବହୁମୁଖୀ ଦାରିଦ୍ର୍ୟତା ହାର 2015-16 ରେ 25% ଥିବା ବେଳେ ହ୍ରାସ ପାଇ 2019-21 ରେ 15 ପ୍ରତିଶତରେ ପହଞ୍ଚିଛି ।

ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ଓଡିଶା ଓ ରାଜସ୍ଥାନ ଭଳି ରାଜ୍ୟରେ ଦାରିଦ୍ର୍ୟର ସର୍ବାଧିକ ହ୍ରାସ ରେକର୍ଡ କରାଯାଇଛି । ତଥାପି, 2019-21ରେ ସମଗ୍ର ଭାରତ ତୁଳନାରେ ଏହି ରାଜ୍ୟଗୁଡିକରେ ଦାରିଦ୍ର୍ୟ ହାର ଅଧିକ ରହିଛି । ବିହାରରେ 34%, ଝାଡଖଣ୍ଡ 28.8%, ଉତ୍ତର ପ୍ରଦେଶ 23%, ମଧ୍ୟ ପ୍ରଦେଶ 21%, ଆସାମ 19% ଓ ଛତିଶଗଡରେ 16% ଲୋକେ ଏବେ ମଧ୍ୟ ଦାରିଦ୍ରର ସୀମାରେଖା ତଳେ ରହିଛନ୍ତି । ତେଲେଙ୍ଗାନାରେ ଦାରିଦ୍ରତା ହାର ବର୍ଷ 2015-16 ରୁ 2019-21 ମଧ୍ୟରେ 13% ରୁ 6% ହ୍ରାସ ପାଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଏହି ହାର 12% ରୁ 6% କୁ ହ୍ରାସ ପାଇଛି ।

ପୋଷଣରେ ଉନ୍ନତି, ବିଦ୍ୟାଳୟ ଶିକ୍ଷା, ପରିମଳ ଓ ରନ୍ଧନ ଇନ୍ଧନ ଭାରତରେ ଦାରିଦ୍ର୍ୟ ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ବିଶ୍ବ ଖାଦ୍ୟ ନିରାପତ୍ତା ଓ ପୋଷଣ ସୂଚକାଙ୍କ-2023 ରେ ପ୍ରକାଶିତ ତଥ୍ୟ ଅନୁସାରେ, ଏବେ ମଧ୍ୟ ଭାରତର ପ୍ରାୟ 74% ଜନସଂଖ୍ୟା (ପ୍ରାୟ 1 ବିଲିୟନ) 2021 ମସିହାରେ ଏକ ଭଲ ଡାଏଟ ପାଇବାକୁ ସମର୍ଥ ନୁହନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-5 ଅନୁସାରେ, 2019-21 ରେ 15-49 ବର୍ଷ ବୟସର 57% ମହିଳା ରକ୍ତହୀନତାର ଶିକାର ହୋଇଥିଲେ ।

ତେବେ ନିକଟରେ ପରଲୋକ ଘଟିଥିବା ଡକ୍ଟର ଏମ.ଏସ ସ୍ବାମୀନାଥନଙ୍କ ଅନୁଯାୟୀ କ୍ଷୁଧାର ତିନୋଟି ପ୍ରମୁଖ ପରିମାଣ ଅଛି । ସେଗୁଡିକ ମଧ୍ୟରେ ପ୍ରଥମଟି ହେଉଛି ଖାଦ୍ୟ ଶସ୍ୟ ଅଭାବରୁ କ୍ୟାଲୋରୀ ଅଭାବ । ଦ୍ୱିତୀୟଟି ହେଉଛି ପ୍ରୋଟିନ୍ କ୍ଷୁଧା । ତୃତୀୟଟି ହେଉଛି ଲୁକ୍କାୟିତ କ୍ଷୁଧା । ଏହା ଲୁହା, ଆୟୋଡିନ୍, ଜିଙ୍କ, ଭିଟାମିନ-ଏ ଓ ଭିଟାମିନ୍ ବି-12 ପରି ପୋଷଣର ଅଭାବରୁ ହୋଇଥାଏ । ଭାରତୀୟମାନେ ଏକ ସୁସ୍ଥ ଡାଏଟ ପାଇପାରିବା ସୁନିଶ୍ଚିତ କରିବା ବର୍ତ୍ତମାନର ଅର୍ଥନୈତିକ ନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବା ଜାରୁରୀ ବୋଲି ସେ ମତ ଦେଇଥିଲେ ।

ଦାରିଦ୍ର୍ୟ ଦୂରୀକରଣ ପାଇଁ ନିଯୁକ୍ତି ପ୍ରଦାନକୁ ସୁନିଶ୍ଚିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଦାରିଦ୍ର୍ୟ ଦୂରୀକରଣ ଅନ୍ତର୍ଜାତୀୟ ଦିବସର ଚଳିତ ଥିମ୍‌ ହେଉଛି ‘ଉପଯୁକ୍ତ କାର୍ଯ୍ୟ ଓ ସାମାଜିକ ସୁରକ୍ଷା’ । ଅତ୍ୟଧିକ ଦାରିଦ୍ରରେ କାଳତିପାତ କରୁଥିବା ଲୋକଙ୍କ ମଧ୍ୟରୁ ଅନେକ ଅନୌପଚାରିକ ଅର୍ଥନୀତିରେ (ଇନଫରମାଲ ଇକୋନୋମିକ୍ସ) କାର୍ଯ୍ୟ କରନ୍ତି । ଯେପରିକି ପଞ୍ଜୀକୃତ ହୋଇନଥିବା, ତଥା ଶ୍ରମ ଆଇନ ଅନୁଯାୟୀ ବିପଦପୂର୍ଣ୍ଣ, କଠିନ ଓ ବିପଜ୍ଜନକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଶର୍ମ ବର୍ଗରେ କାର୍ଯ୍ୟ କରନ୍ତି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ)ର ଆକଳନ ଅନୁସାରେ, ବିଶ୍ବର କାର୍ଯ୍ୟରତ ମୋଟ ଜନସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶ (ଦୁଇ ବିଲିୟନ)ରୁ ଅଧିକ ଲୋକ ଅନୌପଚାରିକ ଶ୍ରମିକ (ଇନଫରମାମଲ ଓ୍ବାର୍କର) ଭାବେ କାର୍ଯ୍ୟ କରନ୍ତି । ସେମାନଙ୍କ ମଧ୍ୟରୁ ଲାଟିନ୍ ଆମେରିକା, ଉପ ସାହାରା-ଆଫ୍ରିକୀୟ ଦେଶଗୁଡିକ ପରେ ଦକ୍ଷିଣ-ଏସିଆରେ ଏହି ବର୍ଗର ଶ୍ରମିକଙ୍କ ସଂଖ୍ୟା ଅଧିକ । ସେହିପରି ଏହି ବର୍ଗରେ 58% ମହିଳା ମଧ୍ୟ ଭେଦଭାବ ଅନୁଭବ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି । ମହିଳାମାନେ କର୍ମକ୍ଷେତ୍ରରେ ସର୍ବନିମ୍ନ ପାରିଶ୍ରମିକ ପାଉନଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୌନ ଉତ୍ପୀଡନର ଶିକାର ମଧ୍ୟ । ଯଦି ଭାରତ କଥା ବିଚାର କରାଯାଏ, ତେବେ 90% ରୁ ଅଧିକ ଶ୍ରମିକ କୃଷି, ଉତ୍ପାଦନ ଓ ସେବା କ୍ଷେତ୍ରରେ ନିୟୋଜିତ ଇନଫରମାଲ ଲେବର ବର୍ଗରେ ରହିଛନ୍ତି ।

ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ 61.9 ପ୍ରତିଶତ ଲୋକେ ରାସନ ପାଇଛନ୍ତି । ମାତ୍ର 12.2% ଆୟୁଷ୍ମାନ ଭାରତ କାର୍ଡ ଓ 11.1% ରାଜ୍ୟ ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେହିପରି ପ୍ରାୟ 7.1% ଇ-ଶ୍ରମ ପୋର୍ଟାଲ, 4% ଅଟଳ ପେନସନ ଯୋଜନାରେ ସାମିଲ ହୋଇ ଲାଭ ପାଉଛନ୍ତି । ପାରମ୍ପରିକ ଭାବେ, ସାମାଜିକ ସୁରକ୍ଷା ସ୍ୱାସ୍ଥ୍ୟ ବୀମା ଓ ପେନସନ ପ୍ରଦାନ କରିବା କଥା, ମାତ୍ର ଏଠାରେ ପ୍ରଶ୍ନ ହେଉଛି ଏହାକୁ କିଏ ପ୍ରଦାନ କରିବା ଉଚିତ, ସରକାର ନା କମ୍ପାନୀ ? ତେବେ କିଛି କ୍ଷେତ୍ରରେ ଏହି କର୍ମଚାରୀମାନେ କମ୍ପାନୀଠାରୁ ଏହି ସବୁ ସୁବିଧା ପାଇ ପାରୁନାହାନ୍ତି ।ରାଜସ୍ଥାନ ସରକାର ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ ପଞ୍ଜୀକରଣ ଓ କଲ୍ୟାଣ ବିଲ୍-2023 କୁ ଆଣିଛି । ଏହା ଫଳରେ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ । ବୋର୍ଡ ସାମାଜିକ କଲ୍ୟାଣ ପାଣ୍ଠି ଦିଗରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- କାନାଡାକୁ ଆଶିଂକ ଭିସା ସେବା ଆରମ୍ଭ କଲା ଭାରତ, ଜାଣନ୍ତୁ କେଉଁ ବର୍ଗରେ ମିଳିବ ଭିସା

ଭାରତରେ ମଧ୍ୟ ଅନେକ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । କିନ୍ତୁ ଖାଦ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଓ ଫ୍ରି ବିଜ୍ (ନିର୍ବାଚନୀ ଶସ୍ତା ଯୋଜନା) ପରି ପ୍ରକୃତ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରେ ପାର୍ଥକ୍ୟ ସ୍ଥିର କରିବାକୁ ପଡିବ । ନିର୍ବାଚନ ପାଖେଇ ଆସୁଥିବାରୁ ଆସନ୍ତା କିଛି ମାସ ମଧ୍ୟରେ ଫ୍ରି ବିଜ୍ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ଯଥେଷ୍ଟ । ଏହା କେନ୍ଦ୍ର ତଥା ରାଜ୍ୟ ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି କରିବାରେ । ପୂର୍ବତନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଡ.ରଙ୍ଗରାଜନଙ୍କ ପରାମର୍ଶ ଅନୁସାରେ, ମାଗଣା ସୁବିଧା ସମେତ ସାମାଜିକ ସୁରକ୍ଷା ପାଇଁ ସାମଗ୍ରିକ ଆର୍ଥିକ ସହାୟତା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମୋଟ ଖର୍ଚ୍ଚର 10% ରୁ କମ୍ ସୀମିତ ରହିବା ଉଚିତ । ଅନ୍ୟପଟେ ସେମାନଙ୍କ ଆୟ ଏକ ସ୍ଥାୟୀ ତଥା ସ୍ଥିର ଉପାୟରେ ବୃଦ୍ଧି ହେବା ଉଚିତ ।

ଆଲେଖ୍ୟ:- ଏସ.ମହେନ୍ଦ୍ର ଦେବ

ପୂର୍ବତନ କୂଳପତି, ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ, ମୁମ୍ବାଇ

ABOUT THE AUTHOR

...view details