ମୁମ୍ବାଇ: ଅଶ୍ଳୀଳ ଭିଡିଓ ସୁଟିଂ ମାମଲା(Pornography Case)ରେ ବଢିଚାଲିଛି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ । ଏନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ କୁନ୍ଦ୍ରାଙ୍କ ଅନେକ ସହଯୋଗୀଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଆଜି ଆର୍ମସ୍ ପ୍ରାଇମ ମିଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ସୌରଭ କୁଶୱାଙ୍କୁ ଏହି ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ପଚରାଉଚରା ପାଇଁ ଡକାଇଛି। ତେବେ ଗତ ମାସ ଜୁଲାଇ 25 ରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟେଲିଭିଜନ ଅଭିନେତା ତଥା ମଡେଲ ଗେହନା ବଶିଷ୍ଟ ଏବଂ ଅନ୍ୟ ଦୁଇଜଣଙ୍କୁ ଏହି ଅଶ୍ଳୀଳତା ଭିଡିଓ ମାମଲାରେ ପଚରାଉଚରା ପାଇଁ ଡକାଇଥିଲା।
ଏହାପୂର୍ବରୁ ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ଏହାକୁ ଆପ୍ରେ ରିଲିଜ କରିବା ଅଭିଯୋଗରେ ଗିରଫ ବିଜନେସମ୍ୟାନ ରାଜ କୁନ୍ଦ୍ରା ଓ ସହଯୋଗୀ ରୟାନ ଥୋର୍ପେ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଏମାନଙ୍କ ଜାମିନ ଆବେଦନ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ । ଜୁଲାଇ 27 ରେ, ମୁମ୍ବାଇ କୋର୍ଟ ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ତାଙ୍କ ସହଯୋଗୀ ରିଆନ ଥୋର୍ପେଙ୍କ ସହ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏହାପୂର୍ବରୁ ଜୁଲାଇ 25 ରେ କୁନ୍ଦ୍ରାଙ୍କ ଚାରିଜଣ କର୍ମଚାରୀ ଅଶ୍ଳୀଳ ରାକେଟ ମାମଲାରେ ତାଙ୍କ ବିରୋଧରେ ସାକ୍ଷୀ ଦେଇ ତାଙ୍କ ପାଇଁ ଅଡୁଆ ଆହୁରି ବଢାଇ ଦେଇଥିଲେ ।