ଅହମ୍ମଦାବାଦ:16 ବର୍ଷ ବୟସରେ ସ୍କୁଲରୁ ନିଖୋଜ ହୋଇଥିଲା ଜଣେ ଛାତ୍ର । ପରିବାର ସଦସ୍ୟ ଥାନାରେ ଅପହରଣ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୋଲିସ ଓ ପରିବାର ସଦସ୍ୟ ସେତେବେଳେ ଖୋଜାଖୋଜି କରିବା ପରେ ମଧ୍ୟ ମିଳନଥିଲେ ଛାତ୍ର । ଅନେକ ବର୍ଷ ବିତିଗଲା । ଏବେ ପ୍ରାୟ 7 ବର୍ଷ ପରେ ଯୁବକଙ୍କୁ ପୋଲିସ ଠାବ କରିଛି । ତାଙ୍କୁ ଘର ଲୋକଙ୍କୁ ହସ୍ତାନ୍ତର କରିଛି । ଯୁବକଙ୍କ ନାମରେ ପରିବାର ନିକଟରେ ଥିବା ଆଧାର କାର୍ଡ ମାଧ୍ୟମରେ ପୋଲିସ ତାଙ୍କୁ ଠାବ କରିବାରେ ସଫଳ ହୋଇଛି । ଗୁଜୁରାଟ ପୋରବନ୍ଦରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।
2017ରେ ସମ୍ପୃକ୍ତ ପୋରବନ୍ଦର ବୋଖୀରା ଅଞ୍ଚଳର ଏକ ସ୍କୁଲରେ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ତାଙ୍କୁ ଅପହରଣ କରାଯାଇଥିବା ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ହେଲେ ସେତେବେଳେ ଅଭିଯୋଗ ପରେ ମଧ୍ୟ ତାଙ୍କୁ ଠାବ କରାଯାଇ ପାରିନଥିଲା । ଇତି ମଧ୍ୟରେ 7 ବର୍ଷ ବିତି ଯାଇଥିଲେ ସୁଦ୍ଧା ନିକଟରେ ପ୍ରାୟ ଏକ ସପ୍ତାହ ତଳେ ଯୁବକଙ୍କ ଆଧାର କାର୍ଡ ପରିବାର ସଦସ୍ୟଙ୍କୁ ଡାକ ଯୋଗେ ମିଳିଥିଲା । ଏହି କାର୍ଡକୁ ପରିବାର ସଦସ୍ୟ ଥାନାରେ ଦାଖଲ କରି ପୂର୍ବ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ପୋଲିସ ପୁରୁଣା ମାମଲାର ତଦନ୍ତ ଆରମ୍ଭ କରିଥିଲା । ଆଧାର କାର୍ଡରେ ମୋବାଇଲ ନମ୍ବର ସହ ପ୍ରାୟ ଅନ୍ୟ ସମସ୍ତ ଠିକଣା ରହୁଥିବାରୁ ପୋଲିସ ଏହି ସୂଚନା ମାଧ୍ୟମରେ ନମ୍ବରକୁ ଖୋଜାଖୋଜି କରିଥିଲା ।