ନୂଆଦିଲ୍ଲୀ: ମହାମାରୀ କୋରୋନା ଦେଶ ପାଇଁ ଏବେ ବଡ ସଂକଟ ହୋଇଯାଇଛି । ପ୍ରତିଦିନ ଏହି ଭୂତାଣୁ ଅନେକ ଲୋକଙ୍କ ଜୀବନ ନେଉଛି । କୋରୋନା କବଳରେ ଯିଏ ବି ଆସିଲା ମୁକୁଳିବା ମୁସ୍କିଲ ହୋଇପଡିଲାଣି । ଯେଉଁଥିପାଇଁ ଅନେକ ଲୋକ ଅକଳାରେ ମୃତ୍ୟୁବରଣ କରୁଛନ୍ତି ।
ଆଜି (ଶୁକ୍ରବାର) ଏହି ମହାମାରୀ କୋରୋନାରେ ଦେଶର ପ୍ରତିଷ୍ଠିତ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ମୃତ୍ୟୁ ହୋଇଛି । ରୋହିତ ସରଦାନା ଗତକିଛି ଦିନ ଧରି କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରୋହିତ ସରଦାନା ଜଣେ ବିଚକ୍ଷଣ ରାଷ୍ଟ୍ରବାଦୀ ସାମ୍ବାଦିକ ଥିଲେ । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ଉପସ୍ଥାପନା ସହ ବିତର୍କ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଯେକୌଣସି ରାଷ୍ଟ୍ରବାଦ ପ୍ରସଙ୍ଗରେ ତାଙ୍କର ସ୍ବର ଓ ନିର୍ଭୀକ ସମ୍ବାଦିକତା ଦେଶ ବିରୋଧୀଙ୍କୁ କଡା ଜବାବ ଦେଉଥିଲା । ତାଙ୍କର ଏହି ଅକାଳ ନିଧନ ସମଗ୍ର ଗଣମାଧ୍ୟମ ଜଗତ ପାଇଁ ଅପୂରଣୀୟ କ୍ଷତି ।
ଗଣମାଧ୍ୟମ ଜଗତର ଚର୍ଚ୍ଚିତ ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ କୋରୋନାରେ ପରଲୋକ ଘଟିଛି । ତାଙ୍କର ଏଭଳି ଦୁଃଖଦ ବିଦାୟକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତର ଜାତୀୟ ଗଣମାଧ୍ୟମରେ ଏକ ନିର୍ଭୀକ ସଚ୍ଚୋଟ ସାମ୍ବାଦିକତା ସହ ଟିଭି ଉପସ୍ଥାପନାରେ ଏକ ରାଷ୍ଟ୍ରବାଦର ଛାପ ସୃଷ୍ଟି କରିଥିଲେ । ତାଙ୍କର ଖବର ଉପସ୍ଥାପନା ଶୈଳୀ ତାଙ୍କୁ ଖୁବ କମ ଦିନ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ତାଙ୍କର ଏଭଳି ଦୁଃଖ ଦାୟକ ବିଦାୟ ଗଣମାଧ୍ୟମ ଜଗତରେ ଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ପିଏମ ମୋଦି କହିଛନ୍ତି । ଏ ଭଳି ଦୁଃଖଦ ସମୟରେ ତାଙ୍କର ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୋଦି ।
ସେପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଦେଶ ଜଣେ ସଚ୍ଚୋଟ ଓ ସାହାସୀ ସାମ୍ବାଦିକଙ୍କୁ ହରାଇଲା ବୋଲି ଗୃହମନ୍ତ୍ରୀ ଟ୍ବିଟ କରିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରୋହିତ ସରଦାନାଙ୍କ ମୃତ୍ୟୁକୁ ନେଇ ସ୍ତବ୍ଧ ହୋଇଛନ୍ତି ବୋଲି ଟ୍ବିଟ୍ କରିଛନ୍ତି । ଏହା ସହ ତାଙ୍କ ଭଳି ସାମ୍ବାଦିକଙ୍କ ମୃତ୍ୟୁ ସମାଜ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ଏହା ସହ ବିଜେପିର ବିଭିନ୍ନ ନେତା ମନ୍ତ୍ରୀ ସହ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ, ଡ. ସମ୍ବିତ ପାତ୍ର, ସୟଦ ସାହାନୱାଜ ହୁସେନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ