ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ପୋଲିସର ଏକ ଅମାନୁଷିକ ଆଚରଣ । ଜଣେ ମାନସିକ ଭିନ୍ନକ୍ଷମଙ୍କୁ କାବୁ କରିବାକୁ ଯାଇ, ପୋଲିସ ତାର ହାତ-ଗୋଡ ବାନ୍ଧି ଚଟାଣରେ ପକାଇ ନିର୍ଯାତନା ଦେଇଥିବା ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ଆଗ୍ରାରେ ଏହି ଘଟଣା ଘଟିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଆଳରେ ଏପରି ଅମାନୁଷିକତାକୁ ନେଇ ପ୍ରଶ୍ନ ଉଠିଛି ।
ସୂଚନା ଅନୁସାରେ, ଘଟଣାଟି ତାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଫତେହାବାଦ ରୋଡରେ ଥିବା ମୟୂର କମ୍ପ୍ଲେକ୍ସ ନିକଟରେ ଘଟିଛି । ପୋଲିସ ନିର୍ଯାତନାର ଶିକାର ହୋଇଥିବା ଯୁବକ ଜଣେ ମାନସିକ ରୋଗୀ । ତାର ତିକିତ୍ସା ପାଇଁ ତାର ଭଉଣୀ ଓ ଭିଣୋଇ ଏକ ବାଇକରେ ତାକୁ ହସ୍ପିଟାଲକୁ ଆଣୁଥିଲେ । ଏହି ସମୟରେ ଯୁବକଜଣଙ୍କ ବାଇକରୁ ଡେଇଁପଡି ଦୌଡିବାକୁ ଲାଗିଥିଲା । ନିକଟରେ ଥିବା ଏକ ଟ୍ରାନ୍ସଫର୍ମ ଉପରେ ଚଢିବାକୁ ମଧ୍ୟ ଉଦ୍ୟମ କରିଥିଲା । ଏହା ଦେଖି ତାର ଭଉଣୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତାକୁ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ତାକୁ ଟ୍ରାନ୍ସଫର ବାରିକେଡିଂ ମଧ୍ୟରେ ପ୍ରବେଶ କରିବାରୁ ଲୋକେ ରୋକିଥିଲେ । ପରେ ନିକଟରେ ଥିବା ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।