ଶ୍ରୀନଗର:ଗତକାଲି (ସୋମବାର) ଶ୍ରୀନଗର ଉପକଣ୍ଠ ହାଇଦ୍ରାପୋରାରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଓ ଦୁଇ ସାଧାରଣ ନାଗରିକଙ୍କୁ ମିଶାଇ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଆଜି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ଦୁଇ ଆତଙ୍କୀ ସଫା ହୋଇଥିବା ନେଇ ସୂଚନା ମିଳିଥିବାବେଳେ ଆଜି ଉକ୍ତ ଗୁଳି ବିନିମୟରେ ଆତଙ୍କୀଙ୍କୁ ସହଯୋଗ କରୁଥିବା ଦୁଇ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଇଥିବା ସୂଚନା ଦେଇଛି ସେନା ।
ମୃତ ଦୁଇ ସ୍ଥାନୀୟ ନାଗରିକ ହୋଇଥିବାବେଳେ ଉଭୟ ବ୍ୟବସାୟିକ ଶ୍ରେଣୀର ଓ ସେମାନେ ଗୁଳି ବିନିମୟ ସମୟରେ ଆତଙ୍କୀଙ୍କୁ ସହଯୋଗ କରୁଥିବା କହିଛି ସେନା । ପ୍ରାଣ ହରାଇଥିବା ଏହି ଦୁଇ ବ୍ୟକ୍ତି ମୁଦାସିର ଗୁଲ ଏବଂ ଆଲତାଫ ଭଟ୍ଟ ବୋଲି ଜଣାପଡିଛି । ଗତକାଲିି ଏନକାଉଣ୍ଟର ହୋଇଥିବା ହାଇଦ୍ରାପୋରାରେ ଏମାନେ ବ୍ୟବସାୟ କରନ୍ତି ବୋଲି ପୋଲିସ କହିଛି । ତେବେ ଉକ୍ତ କମ୍ପେକ୍ସରେ ଆତଙ୍କୀ ଲୁଚିଥିବା ସୂଚନା ପାଇବା ପରେ ଅପରେସନ ଆରମ୍ଭ କିରଥିଲା ସୁରକ୍ଷା ବଳ । ସେମାନେ ଆତଙ୍କୀଙ୍କ ସମ୍ପର୍କରେ ମଧ୍ୟ ସେନାକୁ କିଛି ସୂଚନା ନଦେବା ସହ ସେମାନଙ୍କୁ ସହଯୋଗ କରିଥିବା କହିଛନ୍ତି କାଶ୍ମୀର IGP ବିଜୟ କୁମାର ।