ନୂଆଦିଲ୍ଲୀ:ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡି ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ସୁଟରଙ୍କ ସହ 3 ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି । 3 ଅଭିଯୁକ୍ତଙ୍କୁ ଚଣ୍ଡିଗଡରୁ ଗିରଫ କରିଛି ଦିଲ୍ଲୀ ପୋଲିସର ଟିମ । ତେବେ ଏହି ହତ୍ୟାକାଣ୍ଡ ପଛର ମାଷ୍ଟରମାଇଣ୍ଡ ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ରୋହିତ ଗୋଦାରା ବୋଲି ପୋଲିସ କହିଛି । ରୋହିତ ଏବେ ବିଦେଶରେ ଆତ୍ମଗୋପନ କରିଛି । ସୁଟରଙ୍କୁ ନିୟୋଜିତ କରି ସେ ,ହିଁ ହତ୍ୟାକାଣ୍ଡକୁ ରୂପ ଦେଇଛି । ଏଥିପାଇଁ ସେ ରାଜସ୍ଥାନ ଜେଲରେ ଥିବା ତାର ସହଯୋଗୀ ବିରେନ୍ଦ୍ର ଚାରଣକୁ ଦାୟିତ୍ବ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର (କ୍ରାଇମ) ରବିନ୍ଦ୍ର ସିଂ ଯାଦବ ସୂଚନା ଦେଇଛନ୍ତି ।
ରୋହିତ ଗୋଦାରର ଅପରାଧିକ ସହଯୋଗୀ ବିରେନ୍ଦ୍ର ଚାରଣ ଏବେ ରାଜସ୍ଥାନର ଏକ ଜେଲରେ ରହିଛି । ଏହି ହତ୍ୟାକାଣ୍ଡରୁ ରୂପ ଦେଇଥିବା ଦୁଇ ସୁଟର ନୀତିନ ଫୌଜି ଓ ରୋହିତ ରାଠୋର ପୂର୍ବରୁ ଭିନ୍ନ ଭିନ୍ନ ମାମଲାରେ ଗିରଫ ହୋଇ ସମାନ ଜେଲରେ ଥିଲେ ଓ ପରେ ବେଲରେ ଆସିଥିଲେ । ଜେଲରେ ସେମାନଙ୍କ ସହ ବିରେନ୍ଦ୍ରର ଯୋଗାଯୋଗ ହେଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ଉଭୟଙ୍କୁ ପ୍ରସ୍ତୁତ କରିଥିଲା ବିରେନ୍ଦ୍ର । ଏପରିକି ହତ୍ୟାକାଣ୍ଡକୁ ରୂପ ଦେବା ପରେ ଉଭୟଙ୍କୁ ବିଦେଶ ପଠାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କହିଥଲା ବିରେନ୍ଦ୍ର । ଏମାନେ ରାଜି ହେବା ପରେ ଉଭୟଙ୍କୁ ନିଜ ସହଯୋଗୀଙ୍କ ମାଧ୍ୟମରେ ବନ୍ଧୁକ ଯୋଗାଇଥିଲା ବିରେନ୍ଦ୍ର । ଉଭୟ 5 ତାରିଖ ଅପରାହ୍ନରେ ଗୋଗାମେଡିଙ୍କ ଘରେ କୌଣସି ଆଳରେ ପ୍ରବେଶ କରିଥିଲେ । ଲିଭିଂ ରୁମରେ ଗୋଗାମେଡିଙ୍କ ସହ କଥାବାର୍ତ୍ତା କରିବା ପରେ ଅତର୍କିତ ଗୁଳି କରି ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।