ଲକ୍ଷ୍ନୌ:ଉତ୍ତର ପ୍ରଦେଶ କୁଶିନଗରରେ ସନ୍ଦେହଜନକ ଅବସ୍ଥାରେ ନଦୀକୂଳରେ ପଡିଥିବା ଏକ ଅଖା ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସେଭରାଇ ପୋଲିସ ଷ୍ଟେସନ ଅଞ୍ଚଳରେ ଗଣ୍ଡକ ନଦୀକୂଳରେ ପଡିଥିବା ଏକ ଅଖା ଭିତରୁ ଏହି ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ମୃତ ଯୁବତୀଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି ଓ ବୟସ 20 ବର୍ଷ ବୋଲି ପୋଲିସ କହିଛି । ପ୍ରାଥମିକ ଭାବେ ଏହା ଏକ ଅନର କିଲିଂ ଘଟଣା ପରି ସନ୍ଦେହ ହେଉଥିବାରୁ ମୃତ ଯୁବତୀର ପରିବାର ଲୋକଙ୍କୁ ପୋଲିସ ଅଟକ ରଖି ଜେରା କରୁଛି ।
ପ୍ରାଥମିକ ତଦନ୍ତ ପରେ ପୋଲସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ନଦୀକୂଳରେ ପଡିଥିବା ଏକ ଅଖା ଭିତରେ ଜଣେ ଯୁବତୀଙ୍କ ମୃତଦେହ ଥିବା ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ମିଳିଥିଲା । ତୁରନ୍ତ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ମୃତ ଯୁବତୀଜଣଙ୍କ ସ୍ଥାନୀୟ ଅଞ୍ଚଳର ଜଣେ 20 ବର୍ଷୀୟା ଯୁବତୀ ବୋଲି ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିହ୍ନଟ ମଧ୍ୟ କରିଥିଲା । ସେହିପରି ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଯାହାକୁ ତାର ପରିବାର ସଦସ୍ୟ ବିରୋଧ କରି ଆସୁଥିଲେ ବୋଲି ଜଣାପଡିଛି ।