ଶ୍ରୀନଗର:ଜମ୍ମୁକାଶ୍ମୀର ଉଧମପୁର ଅଞ୍ଚଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଡିଭାଇସ ଭଳି ବସ୍ତୁକୁ ଉଦ୍ଧାର କରିଛି ପୋଲିସ (Police recover huge arms from Udhampur) । ଏହି ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (Lashkar-e-Taiba) ପକ୍ଷରୁ ଭାରତ ସୀମା ମଧ୍ୟକୁ ପଠାଯାଉଥିବା ପୋଲିସ ସନ୍ଦେହ କରିଛି । ଏହାସହିତ ଉଧମପୁର ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, "୧୫ କେଜି ଓଜନ ବିଶିଷ୍ଟ IED ଭଳି କିଛି ବିସ୍ଫୋରକ ଜବତ ହୋଇଛି । ଏହାର ଆକାର ସିଲିଣ୍ଡର ଭଳି । ଏହାସହିତ ୩୦୦-୪୦୦ଗ୍ରାମର RDX, ୭.୬ ମିମିର ୭ଟି କାର୍ଟିଜେସ, ୫ଟି ଡିଟୋନେଟର, ଗୋଟିଏ ଚିଠିକୁ ମଧ୍ୟ ଜବତ କରାଯାଇଛି । ଏଗୁଡ଼ିକୁ ଉଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳରୁ ଜବତ ହୋଇଥିବା ବେଳେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି ।" ଏହାବ୍ୟତୀତ ବସନ୍ତଗଡ଼ ପୋଲିସ ଷ୍ଟେସନରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧକ କାର୍ଯ୍ୟ ଓ ବିସ୍ଫୋରକ କାର୍ଯ୍ୟ ଆକ୍ଟ ଆଧାରରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି ।