ଲକ୍ଷ୍ନୌ:22 ତାରିଖରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି । ସମଗ୍ର ସହରେ କଡା ସୁରକ୍ଷା ବ୍ୟବସ୍ଥା ସହ ମନ୍ଦିର ଓ କାର୍ଯ୍ୟକ୍ରମ ସ୍ଥଳରେ ଆଜି ପୋଲିସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ବାରା ସଞ୍ଚାଳିତ ସିସିଟିଭି କ୍ୟାମେରା ଇନଷ୍ଟଲ କରିଛି । ସମଗ୍ର କାର୍ଯ୍ୟକ୍ରମ ସ୍ଥଳ ସିସିଟିଭି କ୍ୟାମେରାର ପରିଧି ମଧ୍ୟ ରହିବ । ଏକ ଉଚ୍ଚ କ୍ଷମତା ସମ୍ପନ୍ନ କଣ୍ଟ୍ରୋଲରୁମରେ ଏହି ସମସ୍ତ କ୍ୟାମେରାରେ ସଂଗୃହୀତ ଫୁଟେଜର ଯାଞ୍ଚ କରାଯିବ । ଏହା ସହ କୌଣସି ଅସ୍ବାଭାବିକ ଗତିବିଧି ସମ୍ପର୍କରେ କ୍ୟାମେରାରେ ରେକର୍ଡ ହେବା ମାତ୍ରେ ଏହା କଣ୍ଟ୍ରୋଲ ରୁମରୁ ପ୍ରଭାବୀ ଢଙ୍ଗରେ ତଥ୍ୟ ପ୍ରଦାନ କରିବ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆକ୍ସନଟିମ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇପାରିବେ ।
ଲକ୍ଷ୍ନୌ ଜୋନ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ପୀୟୁଷ ମର୍ଦ୍ଦିଆ ଜାତୀୟ ଖବର ସରବରାହ ସଂସ୍ଥା ANI କୁ ସୂଚନା ଦେଇ କହିଛନ୍ତି, 22 ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଶ୍ରୀ ରାମ ଜନ୍ମଭୁମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ କରିଛନ୍ତି । କୌଣସି ଅଘଟଣକୁ ଏଡାଇବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ପୋଲିସ ବଳ ନୁହେଁ ଅତ୍ୟାଧୁନିକ ଭାବେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବୀ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର କରାଯାଉଛି ।