ପାଟନା: ନଦୀରୁ ବାଲି ଉଠାଣକୁ ବିରୋଧ କରି ଆନ୍ଦୋଳନ କରୁଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଏହି ସମୟରେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଯିବା ଫଳରେ ବର୍ରରତା ଦେଖାଇଛି ପୋଲିସ । ମହିଳାଙ୍କ ସମେତ ଶିଶୁ ଓ ବୟସ୍କ ଆନ୍ଦୋଳନକାରୀଙ୍କୁ ପଛରୁ ହାତବାନ୍ଧି ପୋଲିସ ମାଡ ମାରିବା ସହ ଦୀର୍ଘ ସମୟ ଧରି ଅଟକ ରଖିଥିବା ଅଭିଯୋଗ ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲାର ବେଲଗଞ୍ଜ ଥାନା ଅଧୀନ ଆହତପୁର ଅଞ୍ଚଳରେ । ଯାହାର ଭିଡିଓ ଓ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ନଦୀ ପଠାରୁ ବାଲି ଉଠାଣ ପାଇଁ କ୍ରଣ୍ଟାକ୍ଟରଙ୍କୁ ଅନୁମତି ଦେଇଛି ସ୍ଥାନୀୟ ପ୍ରଶାସନ । ତେବେ ସେଠାରୁ ବାଲି ଖନନ ଦ୍ବାରା ବନ୍ୟାସ୍ଥିତି ସୃଷ୍ଟି ହେଉଛି । ଯାହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ତେବେ କଣ୍ଟ୍ରାକ୍ଟର ଓ ପୋଲିସ ପକ୍ଷରୁ ସେମାନଙ୍କୁ ବଳପୂର୍ବକ ଉକ୍ତ ସ୍ଥାନରୁ ଘଉଡାଇବା ପାଇଁ ଉଦ୍ୟମ କରାଯାଇଥିଲା । ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଥିଲା । ଫଳରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।