ଲକ୍ଷ୍ନୌ:ସମ୍ବେଦନଶୀଳ ଘଟଣାରେ ମଧ୍ୟ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅଭିଯୋଗ ଆମେ ଅନେକ ସମୟରେ ଶୁଣିଛନ୍ତି । କିନ୍ତୁ ଏକ ମୂଷା ମାରିବା ଅଭିଯୋଗରେ ଅଭିଯୁକ୍ତ ବିରୋଧରେ 30 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଏପରି ଏକ ଘଟଣା ଉତ୍ତର ପ୍ରଦେଶ ବଦାୟୁଁରେ ଦେଖିବାକୁ ମିଳିଛି ।
ମାମଲାଟି ଗତବର୍ଷ (2022) ଡିସମ୍ବର ମାସର । ଜଣେ ବ୍ୟକ୍ତି ଅତ୍ୟନ୍ତ ବର୍ବରତାର ସହ ଏକ ମୂଷାକୁ ପାଣିରେ ବୁଡାଇ ହତ୍ୟା କରିଥିଲା । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥଲା । ଭିଡିଓ ଆଧାରରେ ଜଣେ ପୁଶୁ ଅଧିକାର କର୍ମୀ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହି ମାମଲାରେ ପୋଲିସ ଅଭିଯୁକ୍ତ ବିରୋଧରେ ଦୀର୍ଘ 30 ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିଛି ।
ସୂଚନା ଅନୁସାରେ, ସହରର କଲ୍ୟାଣ ନଗର ନିବାସୀ ପଶୁପ୍ରେମୀ ବିକେନ୍ଦ୍ର କୁମାର ଏହି ଅଭିଯୋଗ ପଞ୍ଜୀକୃତ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ଗତବର୍ଷ (2022) ନଭେମ୍ବର 24 ରେ ପାନଭଦିଆ ଅଞ୍ଚଳରେ ଜଣେ ଯୁବକ ଏକ ମୂଷାର ଲାଞ୍ଜରେ ପଥର ବାନ୍ଧି ପାଣିରେ ବୁଡାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଯାହାକୁ ଦେଖି ସେ ପ୍ରତିବାଦ କରିବା ସହ ରୋରିକା ପାଇଁ ପ୍ରୟାସ ମଧ୍ୟ କରିଥିଲେ । ହେଲେ ସମ୍ପୃକ୍ତ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୂଷାଟିକୁ ତାଙ୍କ ସମ୍ମୁଖରେ ହତ୍ୟା କରିଥିଲା । ଏହି ଘଟଣା ନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥଲେ । ପ୍ରାଥମିକ ଭାବେ ସ୍ଥାନୀୟ କୋତୱାଲୀ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନଥିବା ବେଳେ ପରେ ତଦନ୍ତ ଆରମ୍ଭ କରିଥିଲା ।