ଚେନ୍ନାଇ:ସ୍ବାମୀକୁ ହତ୍ୟା କରି ସେଫ୍ଟିକ ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ତ୍ରୀ । 8 ବର୍ଷ ପରେ ଟାଙ୍କି ସଫେଇ ବେଳେ ମିଳିଲା ନରକଙ୍କାଳ ଓ କପଡା । ଭଡା ଘର ମାଲିକଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ମାମଲାରେ ତଦନ୍ତ କରି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିଛି । ତାମିଲନାଡୁ ଶିବଗଙ୍ଗାଇରେ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।
ଶିବଗଙ୍ଗାଇର ଦେବକୋଟାଇ ପୋଲିସ ଷ୍ଟେସନ ଅନ୍ତର୍ଗତ ଗାମବାରରେ ଶ୍ରବଣନ ନାମକ ଜଣେ ଭଡାଘର ମାଲିକ ନିଜ ସେଫ୍ଟିକ ଟାଙ୍କି ସଫା କରୁଥିବା ବେଳେ ସେଥିରୁ ଏକ ନରକଙ୍କାଳ ଓ କପଡା ଠାବ ହୋଇଥିଲା । ସେ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ତାଙ୍କ ଘରେ 8 ବର୍ଷ ପୂର୍ବରୁ ପାଣ୍ଡିଆନ ଓ ସୁଗାନ୍ତି ନାମକ ଦମ୍ପତି ରହୁଥିବା ମଧ୍ୟ ସେ ପୋଲିସକୁ କହିଥିଲେ ।
ତେବେ ଘର ମାଲିକଙ୍କ ସୂଚନା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ସୁଗାନ୍ତି ନାମ୍ନୀ ଏହି ମହିଳାଙ୍କୁ ତଦନ୍ତ ପରିସରକୁ ଆଣିଥିଲା । ଜଣାପଡିଥିଲା ଯେ, ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ନେଇ ପୂର୍ବରୁ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା । ମୃତ ଯୁବକଙ୍କ ଦିବଙ୍ଗତ ପିତା ଏହି ଏତଲା ଦାଏର କରିଥିଲେ । ହେଲେ ସେତେବେଳେ ପତ୍ନୀ ସୁଗାନ୍ତି, ସ୍ବାମୀ ପାଣ୍ଡିଆନ କୋଇମ୍ବାଟୁରରେ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବା ଓ କେବଳ ପ୍ରତିମାସ ଟଙ୍କା ପଠାଉଥିବା ପୋଲିସକୁ କହିଥିଲେ । ତା’ ପରେ ସ୍ବାମୀ ପାଣ୍ଡିଆନଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ହୋଇନଥିବା ସୁଗାନ୍ତି ପୋଲିସକୁ କହିବା ପରେ ମାମଲାର ତଦନ୍ତରେ ଶିଥିଳତା ଆସିଥିଲା ।