ଶିମଲା: ହିମାଚଳ ପ୍ରଦେଶର ବିଶ୍ୱପ୍ରସିଦ୍ଧ ପାରାଗ୍ଲାଇଡିଂ ସାଇଟ୍ ବିର୍ ବିଲିଂରେ ଉଡାଣ ଭରି ସପ୍ତାହେ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ପୋଲାଣ୍ଡ ନାଗିରକଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କରାଯାଇପାରିନି । ଏହି ବିଦେଶୀ ପର୍ଯ୍ୟଟକଙ୍କ ନାମ ଆଣ୍ଡ୍ରଜେ କୁଲାୱି ଓ ତାଙ୍କ ବୟସ ପ୍ରାୟ 74 ହେବା ନେଇ ସୂଚନା ମିଳିଛି । ଗତ 23 ତାରିଖରେ ସେ ସୋଲୋ-ପାରାଚୁଟ ମାଧ୍ୟମରେ ଅନ୍ୟ କିଛି ସହଯୋଗୀଙ୍କ ସହ ଉଡାଣ ଭରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ । ଅନ୍ୟ 3 ଜଣ ପାରାଗ୍ଲାଇଡରଙ୍କୁ ହେଲିକପ୍ଟର ସହାୟତାରେ ସୁରକ୍ଷିତ ଉଦ୍ଧାର କରିବାରେ ସଫଳତା ମିଳିଥିଲା । ମାତ୍ର ଏହି ବିଦେଶୀ ନାଗରିକଙ୍କ ପାରାଚୁଟ ଦୁର୍ଘଟଣାରେ ମୃତ୍ୟୁ ହେବା ସହ ମୃତଦେହ ଏକ ଖାଇରେ ଖସିପଡିଛି ।
ସ୍ଥାନୀୟ ଜିଲ୍ଲାଧିକାରୀଙ୍କ ସୂଚନା ଅନୁସାରେ, ଆଣ୍ଡ୍ରଜେ କୁଲାୱିଙ୍କ ସମେତ ମୋଟ 4 ଜଣ ସୋଲୋ ପାରାଗ୍ଲାଇଡର ଏହି ଉଡାଣରେ ଅଂଶଗ୍ରହଣ କରିଥିଲେ । କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇ ଏମାନେ ବିଭିନ୍ନ ସ୍ଥାନରେ ଖସିପଡିଥିବା ବେଳେ 3 ଜଣଙ୍କୁ ସୁରକ୍ଷିତ କରାଯାଇଛି । ଆଣ୍ଡ୍ରଜେ କୁଲାୱିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ପାରାଚୁଟ ସହ ପାର୍ବ୍ୟତାଞ୍ଚଳର ଗଭୀର ଖାଇରେ ପଡିଛି । ଘରୋଇ ହେଲିକପ୍ଟର ମାଧ୍ୟମରେ ମୃତଦେହ ପଡିଥିବା ସ୍ଥାନ ଚିହ୍ନଟ ମଧ୍ୟ କରାଯାଇ ସାରିଛି । ହେଲେ ଦୁର୍ଗମ ଅଞ୍ଚଳରେ ଘରୋଇ ହେଲିକପ୍ଟର ମୃତଦେହ ଉଦ୍ଧାର କରିବାରେ ଅକ୍ଷମତା ପ୍ରକାଶ କରିବା ପରେ ବାୟୁସନାର ସହଯୋଗ ମଧ୍ୟ ନିଆଯାଇଛି । ବାୟୁସେନାର ଦୁଇଟି ‘ଚିତା’ ହେଲିକପ୍ଟର ଦୁର୍ଗମ ଖାଇ ମଧ୍ୟରୁ ମୃତଦେହ ଉଦ୍ଧାର କରିବା ପାଇଁ ରବିବାରଠାରୁ ପ୍ରୟାସ ଜାରି ରଖିଛନ୍ତି ।