ଚେନ୍ନାଇ:ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ । ଦେଶରେ ସାଧାରଣ ଲୋକଙ୍କ ଚାହିଦା ମୁତାବକ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ପାରୁନାହାନ୍ତି ଶ୍ରୀଲଙ୍କା ସରକାର । ଶେଷରେ ବାଧ୍ୟ ହୋଇ ଶ୍ରୀଲଙ୍କାରେ ରହୁଥିବା ଶ୍ରୀଲଙ୍କାନ ତାମିଲ ଭାରତ ପଳାୟନ କରୁଛନ୍ତି ।
ଏପଟେ ଶ୍ରୀଲଙ୍କା ତାମିଲଙ୍କ ଆସିବାକୁ ନେଇ କେନ୍ଦ୍ର ସରକାର ବିଭିନ୍ନ କଟକଣା ଲଗାଇଛନ୍ତି । ହେଲେ ଆଜି ପଟ୍ଟାଲି ମକ୍କାଲ କାଚି(ପିଏମକେ)ର ପ୍ରତିଷ୍ଠାତା ଏସ. ରାମଦୋସ ଏମାନଙ୍କୁ ଶରଣାର୍ଥୀ ମାନ୍ୟତା ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ପିଏମକେର ପ୍ରତିଷ୍ଠାତା ଏସ. ରାମଦୋସ ଏକ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି ଯେ, ଶ୍ରୀଲଙ୍କାରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ଲାଗି ବହୁତ ସଂଖ୍ୟାରେ ତାମିଲ ସଂପ୍ରଦାୟର ଲୋକେ ତାମିଲନାଡୁ ଆସୁଛନ୍ତି । ମାତ୍ର ତାମିଲନାଡୁ ସରକାର ଏମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବା ଲାଗି ପ୍ରସ୍ତୁତ ଥିବାବେଳେ କେନ୍ଦ୍ର ସରକାର ଏମାନଙ୍କୁ ଶରଣାର୍ଥୀ ଘୋଷଣା କରି ନଥିବାରୁ କିଛି କରି ହେଉନାହିଁ ।
ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଶ୍ରୀଲଙ୍କା ତାମିଲମାନେ ଶରଣାର୍ଥୀ ଭାବେ ତାମିଲନାଡୁ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ । ତେବେ କେନ୍ଦ୍ର ସରକାର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ୭୫ ଜଣ ଶ୍ରୀଲଙ୍କା ତାମିଲିଆନ ତାମିଲନାଡୁ ଆସିଥିବାବେଳେ ସେମାନେ ଶ୍ରୀଲଙ୍କାରେ ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ।