ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ନଭେମ୍ବର 19ରେ ଉତ୍ତର ପ୍ରଦେଶର ଝାନସୀ ଗସ୍ତରେ ଯିବେ । ଅପରାହ୍ନ 5.15 ମିନିଟ ସମୟରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରର ବିବିଧ ପ୍ରୟାସ ଉପକ୍ରମ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ‘ଆଜାଦୀ କା ଅମୃତ ମହୋତ୍ସବ’ ସମାରୋହର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଝାନସୀ ଠାରେ ନଭେମ୍ବର 17 ରୁ 19 ତାରିଖ ପର୍ଯ୍ୟନ୍ତ ଆୟୋଜନ ହେଉଛି ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଥିବା ଉପକରଣକୁ ସଶସ୍ତ୍ର ସେନାର ମୁଖ୍ୟମାନଙ୍କୁ ହସ୍ତାନ୍ତର କରିବେ । ଏହାସହ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ) ଦ୍ବାରା ବିକଶିତ ଓ ପ୍ରସ୍ତୁତ କରାଯାଇଥିବା ହାଲୁକା ଲଢ଼ୁଆ ହେଲିକପ୍ଟର (ଏଲସିଏଚ)କୁ ବାୟୁସେନା ମୁଖ୍ୟଙ୍କୁ ପ୍ରଦାନ କରିବେ । ଇଣ୍ଡିଆନ ଷ୍ଟାର୍ଟ ଅପମାନଙ୍କ ଦ୍ବାରା ବିକଶିତ ଓ ପ୍ରସ୍ତୁତ ଡ୍ରୋନ ୟୁଏଭିକୁ ସ୍ଥଳସେନା ମୁଖ୍ୟଙ୍କୁ ପ୍ରଦାନ କରିବେ । ଏହାସହ ଡିଆରଡିଓ ଦ୍ବାରା ବିକଶିତ ଭାରତ ଇଲେକ୍ଟ୍ରୋନିକ୍ସ ଦ୍ବାରା ଉତ୍ପାଦିତ ନୌସେନା ଜାହାଜରେ ପରିଧାନ ନିମନ୍ତେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଯୁଦ୍ଧ ପୋଷାକକୁ ନୌସେନା ମୁଖ୍ୟଙ୍କୁ ପ୍ରଦାନ କରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡୋରର ଝାନସୀ ନୋଡରେ 4 ଶହ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ଭାରତ ଡାଇନାମିକ୍ସ ଦ୍ବାରା ସ୍ଥାପନ କରାଯାଉଛି ଏବଂ ସେଠାରେ ଟ୍ୟାଙ୍କ ନିରୋଧୀ ଗାଇଡେଡ କ୍ଷେପଣାସ୍ତ୍ର ପ୍ଲାଣ୍ଟ ନିର୍ମାଣ କରାଯିବ ।