ହାଇଦ୍ରାବାଦ:ତେଲେଙ୍ଗାନାକୁ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜିସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅତ୍ୟାଧୁନିକ ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ 3 ଘଣ୍ଟା ହ୍ରାସ କରିବ । ଯାହା ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଗତ ତିନି ମାସ ପୂର୍ବେ ତେଲେଙ୍ଗାନାକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ ମୋଦି ।
ଆଜି ହାଇଦ୍ରାବାଦ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଟ 11ହଜାର 3ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଆଜି ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିସହ ହାଇଦ୍ରାବାଦର ପରେଡ ଗ୍ରାଉଣ୍ଡରେ ଏକ ସାଧାରଣ ସଭାରେ ଯୋଗ ଦେଇ ଏମ୍ସ ବିବିନଗରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିପରି ରେଳ ବିଭାଗ ସହ ଜଡିତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବେ ମୋଦି ।
ଆଜି ଦିନ 11ଟା 45 ମିନିଟ ସମୟରେ ସିକନ୍ଦରାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଥିଲେ । ଏହି ଟ୍ରେନ ତିରୁପତିକୁ ସଂଯୋଗ କରୁଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଅତ୍ୟାଧୁନିକ ଟ୍ରେନ୍ ଦୁଇ ସହର ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ସାଢେ 3 ଘଣ୍ଟା ହ୍ରାସ କରିବ । ଯାହା ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।