ଜୟପୁର: ଆଜିଠୁ ରାଜସ୍ଥାନରେ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନ୍ସଫରେନ୍ସ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବନ୍ଦେ ଭାରତ ଟ୍ରେନ ଅଜମେରରୁ ଦିଲ୍ଲୀ ମଧ୍ୟରେ ଚଳାଚଳ କରିବ ।
ତେବେ ଆଜି ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଆଜି ପାଇଁ ଏହି ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଜୟପୁର ଏବଂ ଦିଲ୍ଲୀ କେଣ୍ଟ ମଧ୍ୟରେ ଯାତାୟତ କରିବ । ଏହାପରେ ଆସନ୍ତାକାଲି(ଗୁରୁବାର) ଠାରୁ ନିୟମିତ ସେବା ପ୍ରଦାନ କରିବ । ଅଜମେରରୁ ଦିଲ୍ଲୀ ଯାଏଁ ଗଡିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ । ଏଥିମଧ୍ୟରେ ଜୟପୁର, ଅଲୱାର ଏବଂ ଗୁଡଗାଓଁ ମଧ୍ୟରେ ଷ୍ଟପେଜ ରହିବ । ତେବେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଶତାବ୍ଦୀ ଏକ୍ସପ୍ରେସ ଠାରୁ ମଧ୍ୟ ଅଧିକ ବେଗରେ ଚାଲିବ । ଦିଲ୍ଲୀରୁ ବାହାରି ଅଜମେରରେ ପହଞ୍ଚିବା ପାଇଁ ଶତାବ୍ଦୀ ଏକ୍ସପ୍ରେସକୁ ୬ ଘଣ୍ଟା ୧୫ ମିନିଟ ଲାଗୁଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ୫ ଘଣ୍ଟା ୧୫ ମିନିଟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ।
ବନ୍ଦେ ଭାରତ ଏକ୍ସପ୍ରେସରେ ଏହି ସୁବିଧା ମିଳିବ: ଏହା ହାଇ ରାଇଡ ଓଭର ହେଡ ଅଞ୍ଚଳରେ ଯାତାୟତ କରୁଥିବା ବିଶ୍ବର ପ୍ରଥମ ସେମି ହାଇସ୍ପିଡ ପାସେଞ୍ଜର ଟ୍ରେନ ଅଟେ । ଯାହାକି ଯାତ୍ରୀମାନଙ୍କୁ କମ ସମୟରେ ଏବଂ ଆରାମଦାୟକ ସେବା ପ୍ରଦାନ କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ । ଏହି ଏକ୍ସପ୍ରେସ ସ୍ବଦେଶୀ ନିର୍ମିତ ହାଇସ୍ପିଡ ସ୍ବୟଂଚାଳିତ ଟ୍ରେନ ଅଟେ । ଏହି ଟ୍ରେନ ରାଜସ୍ଥାନର ଅନେକ ପର୍ଯ୍ୟଟନ ସ୍ଥଳୀ ପୁଷ୍କର ଏବଂ ଅଜମେର ସରିଫ୍ ଦରଗାହ ସମେତ ଅନେକ ସ୍ଥାନକୁ ସଂଯୋଗ କରିବ । ଏହି ସ୍ଥାନ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ପର୍ଯ୍ୟଟକଙ୍କୁ ସହାୟକ ହେବ । ଏହାସହ ସାମାଜିକ ଏବଂ ଆର୍ଥିକ ବିକାଶ ହେବ ।