ନୂଆଦିଲ୍ଲୀ:ଦେଶରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ସଙ୍କଟ ଓ ଆଗାମୀ ମୌସୁମୀ ପରିଚାଳନା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ସାରା ଦେଶରେ ଚଳିତବର୍ଷ ମାର୍ଚ୍ଚ ଓ ମେ’ ରେ ଉଚ୍ଚ ତାପମାତ୍ରା ବୃଦ୍ଧି ଓ ବର୍ତ୍ତମାନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ ।
ସେହିପରି ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିକୁ ରଖି, ରାଜ୍ୟ, ଜିଲ୍ଲା ଏବଂ ସହର ସ୍ତରରେ ମୁକାବିଲା ରଣନୀତି ପ୍ରସ୍ତୁତ ରଖିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ମଧ୍ୟ ଦେଇଛି କେନ୍ଦ୍ର ସରକାର । ଆସନ୍ତା ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସୁବାକୁ ଯାଉଥିବାରୁ, ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ମଧ୍ୟ ମୁକାବିଲା ରଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ପ୍ରଭାବିତ ରାଜ୍ୟଗୁଡିକରେ ସଠିକ ନିୟୋଜନ ଯୋଜନା ପ୍ରସ୍ତୁତ କରିବାକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) କୁ ପରାମର୍ଶ ଦିଆଯାଇଛି । ସେହିପରି ଜରୁରୀ ସୂଚନା ପ୍ରଦାନ ଓ ଯୋଗାଯୋଗ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାରକୁ ମଧ୍ୟ ବ୍ୟାପକ କରିବା ପାଇଁ ମଧ୍ୟ କେନ୍ଦ୍ର କହିଛି ।