ଶିମ୍ଲା:ଏକ ସପ୍ତାହ ଧରି ଚାଲିବାକୁ ଥିବା ହିମାଚଳ ପ୍ରଦେଶର କୁଲ୍ଲୁ ଦଶହରା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଏହି ଅନ୍ତର୍ଜାତୀୟ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ଢାଲପୁର ରଥ ମୈଦାନରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Modi Attends international Kullu Dussehra)। ସେଠାରେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ ପ୍ରଧାନମନ୍ତ୍ରୀ ରଘୁନାଥଙ୍କ ଦର୍ଶନ କରିଛନ୍ତି ।
ପ୍ରଭୁ ରଘୁନାଥଙ୍କ ଆଶୀର୍ବାଦ ନେବା ପରେ ମୋଦିଙ୍କ ମଥାରେ ପବିତ୍ର ପଗଡ଼ି ବନ୍ଧା ଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ପୁନଃ ମଞ୍ଚାସୀନ ହୋଇଥିଲେ । କୁଲ୍ଲୁ ଦଶହରା ଉତ୍ସବର ପ୍ରଥମ ଦିନର ରଥଯାତ୍ରା ସମାରୋହରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା ।
ଏକ ସପ୍ତାହ ଧରି ଚାଲିବାକୁ ଥିବା ଉତ୍ସବରେ କୁଲ୍ଲୁ ଉତ୍ସବ ସାରା ବିଶ୍ବରେ ନିଆରା । କାରଣ ସାରା ଦେଶରେ ଦଶହରା ଶେଷ ହେଉଥିବା ବେଳେ ଏଠାରେ ଦଶହରା ଆରମ୍ଭ ହୁଏ । ଏହି ପର୍ବ ବେଳେ ସ୍ବର୍ଗରୁ ଦେବୀ ଦେବତା ଧରାବତରଣ କରନ୍ତି ବୋଲି ବିଶ୍ୱାସ ରହିଛି । ଦେବୀ ହିଡ଼ିମ୍ବା, ବିଜୁଳି ମହାଦେବ ଓ ମାଆ ଭେଖଲୀଙ୍କ ଆଦେଶ ମିଳିବା ପରେ ହିଁ କୁଲ୍ଲୁ ଦଶହରା ଆରମ୍ଭ ହୁଏ । ଏହା ପରେ ପ୍ରଭୁ ରଘୁନାଥଙ୍କ ପାଲିଙ୍କି ଶୋଭାଯାତ୍ରାରେ ବାହାରି ଥାଏ ।
୧୬୩୭ରେ ରାଜା ଭଗତ ସିଂହଙ୍କ ରାଜତ୍ବକାଳରେ ଏହି କୁଲ୍ଲୁ ଦଶହରା ଉତ୍ସବ ଆରମ୍ଭ ହୋଇଥିଲା । ରାଜାଙ୍କ ଶାସନକାଳରେ ମଣିକର୍ଣ୍ଣ ଘାଟିର ଟିପ୍ପରୀ ଗ୍ରାମରେ ଦୁର୍ଗାଦତ୍ତ ନାମକ ଗରିବ ବ୍ରାହ୍ମଣ ରହୁଥିଲେ । ତେବେ ରାଜାଙ୍କ ସହ କୌଣସି ମନ୍ତାନ୍ତର ପରେ ବ୍ରାହ୍ମଣ ଜଣକ ଆତ୍ମାହୁତି ଦେଇଥିଲେ । ରାଜାଙ୍କ ଉପରେ ବ୍ରାହ୍ମଣ ହତ୍ୟା ଦୋଷ ଲାଗିଥିଲା । ରାଜା ଅନୁତପ୍ତ ହୋଇଥିଲେ । ଏହାପରେ ସେ ଏକ ମାରାତ୍ମକ ରୋଗରେ ମଧ୍ୟ ପଡ଼ିଥିଲେ । ଏହାପରେ ପୟୋହାରୀରେ ଥିବା ଜଣେ ବାବା ରାଜାଙ୍କୁ ତ୍ରେତାନାଥ ମନ୍ଦିରରେ ଥିବା ଭଗବାନ ରାମଚନ୍ଦ୍ର, ମାଆ ସୀତା ଓ ହନୁମାନଙ୍କ ମୂର୍ତ୍ତି ଆଣି ପୂଜା କରିବାକୁ ପରାମର୍ଶ ଦେଇଥିଲେ । ଯାହାଦ୍ବାରା ରାଜାଙ୍କ ବ୍ରହ୍ମ ହତ୍ୟା ଦୋଷ କଟି ପାରିବ ବୋଲି ସେ କହିଥିଲେ ।
ଏହାପରେ ରାଜା ଅଯୋଧ୍ୟା ମନ୍ଦିରରୁ ମୂର୍ତ୍ତି ଚୋରାଇ ହରିଦ୍ବାର ନେଇ ଆସିଥିଲେ । ତେବେ ସେଠାରେ ରାଜାଙ୍କ ଅନୁଗତ କିଶନଦତ୍ତ ଧରା ପଡ଼଼ିଥିଲା । କିନ୍ତୁ ମୂର୍ତ୍ତି ଅତ୍ୟଧିକ ଓଜନ ହେବାରୁ ଏହାକୁ ଆଉ ଫେରାଇ ନିଆଯାଇ ପାରିନଥିଲା । ତେବେ ଜଣେ ପଣ୍ଡିତ ଏହି ମୂର୍ତ୍ତି ଅତି ସହଜରେ ଉଠାଇ କୁଲ୍ଲୁ ନେଇ ଆସିଥିଲେ । ଏହି ମୂର୍ତ୍ତି ପୂଜା ପରେ ରାଜାଙ୍କ ବ୍ରହ୍ମଦୋଷ ତୁଟିଥିବା ନେଇ କିମ୍ବଦନ୍ତୀ ରହିଛି ।