ନୂଆଦିଲ୍ଲୀ:ଜାନୁୟାରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ । ଏଥିପାଇଁ ରାମ ନଗରୀରେ ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ବେଳେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଅଡ଼ିଓ ବାର୍ତ୍ତା ଜାରି କରିଛନ୍ତି । ଯେଉଁଥିରେ ସେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଜିଠୁ ୧୧ ଦିନିଆ ସ୍ବତନ୍ତ୍ର ନୀତି ନିୟମ ବା ବ୍ରତ ପାଳନ କରିବେ ବୋଲି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ନିଜର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଉକ୍ତ ଅଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ କେବଳ ୧୧ ଦିନ ବାକି । ମୋର ପରମ ସୌଭାଗ୍ୟ ଯେ ମୁଁ ଏହି ପୂଣ୍ୟ ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବି । ପ୍ରାଣ ପ୍ରତିଷ୍ଠାରେ ସାରା ଭାରତବାସୀଙ୍କ ପ୍ରତିନିଧିତ୍ବ କରିବାର ସୁଯୋଗ ମୋତ ପ୍ରାପ୍ତି ହୋଇଛି, ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି । ପ୍ରଭୁ ରାମଲାଲା ମୋତେ ନିମିତ୍ତ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ମୁଁ ୧୧ ଦିନି ଧରି ସ୍ବତନ୍ତ୍ର ନୀତି ନିୟମ ବା ବ୍ରତ ପାଳନ କରିବି । ଏଥିପାଇଁ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି । ''
ଏହା ମଧ୍ୟ ପଢନ୍ତୁ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆଡଭାନୀ