ଓଡିଶା

odisha

ETV Bharat / bharat

103rd Mann Ki Baat: ‘ନଷ୍ଟ କରାଯାଇଛି 12 ହଜାର କୋଟିର ଡ୍ରଗ୍ସ’ - Mann Ki Baat July 30 2023

103ତମ ‘ମନ କୀ ବାତ’ରେ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ । ବିପୁଳ ଡ୍ରଗ୍ସ ନଷ୍ଟ କରାଯିବା ସହ ପ୍ରାକୃତିକ ବିପର୍ଯ୍ୟୟରେ ସାମୂହିକ ମୁକାବିଲା ପ୍ରୟାସ ପାଇଁ ଦେଶବାସୀଙ୍କୁ ଦେଲେ ଧନ୍ୟବାଦ । ହେଲେ ମଣିପୁର ପ୍ରସଙ୍ଗରେ କିଛି କହିଲେନି । ଅଧିକ ପଢନ୍ତୁ

ନଷ୍ଟ କରାଯାଇଛି 12 ହଜାର କୋଟିର ଡ୍ରଗ୍ସ
ନଷ୍ଟ କରାଯାଇଛି 12 ହଜାର କୋଟିର ଡ୍ରଗ୍ସ

By

Published : Jul 30, 2023, 5:34 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 103ତମ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କୀ ବାତ’ ରେ ଦେଶକୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ସହ ଏବେ ଦେଶର ବିଭିନ୍ନ ଭାଗରେ ଜାରି ରହିଥିବା ବର୍ଷା ଓ ବନ୍ଯା ପ୍ରସଙ୍ଗକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବନ୍ୟା ପରି ବିପର୍ଯ୍ୟୟର ମୁକାବିଲା ପାଇଁ ସଚେତନତା ତଥା ସାମୂହିକ ଉଦ୍ୟମ ପ୍ରଦର୍ଶନ କରିଥିବାରୁ ସେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ।

ବିପର୍ଯ୍ୟୟ ସମୟରେ ସାମୂହିକ ଶକ୍ତି ପ୍ରଦର୍ଶନ କରିଥିବାରୁ ସେ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ । ବନ୍ୟା ସମୟରେ ତ୍ବରିତ ତଥା ପ୍ରଭାବୀ କର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ଏବଂ ସେନାକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଆଜାଦୀ କି ଅମୃତ ମହୋତ୍ସବ’ କାଳରେ ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ପ୍ରାୟ 60,000 ଅମୃତ ସରୋବର ଦେଶରେ ଜଳ ସଂରକ୍ଷଣ ପ୍ରୟାସର ଏକ ଭିନ୍ନ ଉଦାହରଣ ଭାବରେ ସାମ୍ନାକୁ ଆସିଛି । ସାରା ଦେଶରେ ଏବେ ମଧ୍ୟ ଆହୁରି 50,000 ନିର୍ମାଣ କରାଯାଉଛି ।

ନିଶା ବିରୋଧରେ ଦେଶର ଲଢେଇକୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, 12,000 କୋଟିରୁ ଅଧିକ ମୂଲ୍ୟର 10 ଲକ୍ଷ କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ନଷ୍ଟ କରାଯିବା ଦେଶ ପାଇଁ ଏହା ଏକ ନୂଆ ରେକର୍ଡ । ଯାହା ଏକ ସମ୍ବେଦନଶୀଳ ବର୍ଗକୁ ବିପଥଗାମୀ ହେବାରୁ ରକ୍ଷା କରିବା ଦିଗରେ ଏକ ବଡ଼ ସଫଳତା ମଧ୍ୟ । ସେହିପରି ଆସନ୍ତା ମାସରେ ପାଳନ ହେବାକୁ ଯାଉଥିବା ସ୍ବାଧୀନତା ଦିବସ ଅବସରରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ପୂର୍ବ ବର୍ଷ ପରି ଦେଶପ୍ରେମ ପରମ୍ପରା ଜାରି ରଖିବାକୁ ମଧ୍ୟ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Mann Ki Baat: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶରେ ଗୋଟିଏ ଦିନରେ 30 କୋଟି ଚାରା ରୋପଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏକ ରେକର୍ଡ । ସମୂହ ସ୍ବାର୍ଥ ସମ୍ବଳିତ କାର୍ଯ୍ୟକ୍ରମରେ ସକ୍ରିୟ ଜନଭାଗିଦାରୀର ଏହା ଏକ ଉଜ୍ଜ୍ୱଳ ଉଦାହରଣ । ନିକଟରେ ତାଙ୍କର ମଧ୍ୟ ପ୍ରଦେଶ ଗସ୍ତ ସମ୍ପର୍କରେ ମଧ୍ୟ ପ୍ରଧନମନ୍ତ୍ରୀ ନିଜ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି । ମଧ୍ୟ ପ୍ରଦେଶର ସ୍ଥାନୀୟ ପାକରିଆ ଗାଁର ଆଦିବାସୀ ବାସିନ୍ଦାଙ୍କ ପାରମ୍ପରିକ ବର୍ଷା ଜଳ ସଂରକ୍ଷଣ ପ୍ରଣାଳୀକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

ସମ୍ବୋଧନରେ ହଜ ଯାତ୍ରାକୁ ମଧ୍ୟ ସ୍ଥାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ହଜ ନୀତିରେ କରିଥିବା ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ସାଉଦି ଆରବ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । 4,000ରୁ ଅଧିକ ମୁସଲିମ୍‌ ମହିଳା 'ମେହରାମ' (ପୁରୁଷ ସାଥୀ) ବିନା ଚଳିତ ହଜ୍ ଯାତ୍ରା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ବିରୋଧୀଙ୍କ ସମାଲୋଚନା ମଧ୍ୟରେ ଆଜି ନିଜର ନିୟମିତ ମାସିକ ରେଡିଓ ସମ୍ବୋଧନରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ମଣିପୁର ପ୍ରସଙ୍ଗରେ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ପୂର୍ବ ପରି ନୀରବତା ଅବଲମ୍ବନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details