ହାଇଦ୍ରାବାଦ:ଚଳିତବର୍ଷ ସଂସଦର ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ 31ରେ ଅଧିବେଶନ ଆରମ୍ଭ ହେଉଥିବା ବେଳେ 29 ତାରିଖରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବାକୁ ଥିବା ବେଳେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।
ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଦ୍ବିତୀୟ ପାଳି ସରକାର କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ପୂର୍ବରୁ ଏହି ବୈଠକ ଡକାଯାଇଥିବାରୁ ଏହାକୁ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଇଛି । ସଂସଦର ବଜେଟ ଅଧିବେଶନ ଚଳିତମାସ 31ରୁ ଆରମ୍ଭ ହେବାକୁ ଯାଉଛି । ବର୍ଷ 2023ର ପ୍ରଥମ ସଂସଦ ଅଧିବେଶନ ହୋଇଥିବା କାରଣରୁ ପ୍ରଥମ ଦିବସରେ ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଦ୍ବିତୀୟ ଦିବସ ତଥା ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । 2024 ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ବଜେଟ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ହେବାକୁ ଯାଉଛି ।